ରାୟଗଡ଼ା, ୧୨/୦୭: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡି ଗାଁରେ କଙ୍ଗାରୁକୋର୍ଟ ଘଟଣା । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାୟଗଡା ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହେବ । ଏହି ଟିମ୍ରେ କଲ୍ୟାଣସିଂହପୁର ବିଡିଓ,ତହସିଲଦାର, ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ କଞ୍ଜାମଯୋଡି ଗାଁକୁ ଯାଇ ତଦନ୍ତ କରିବେ । ତଦନ୍ତ ପରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କହିରଖୁ କି, ପିଉସୀ ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ବିରୋଧ କରି ଗତ ୯ ତାରିଖ ଦିନ କଞ୍ଜାମଯୋଡି ଗ୍ରାମବାସୀ ପ୍ରେମୀ ଯୁଗଳକୁ ଅକଥନୀୟ ନିର୍ଯାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରିଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଉକ୍ତ ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ନଆସିବା ସହ ଭଲ ଫସଲ ହେବ ବୋଲି ମତ ଦେଇଥିଲେ । ତେବେ ଏହି ଘଟଣା ବିଷୟରେ ଖବର ପ୍ରକାଶ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଏହି ତଦନ୍ତକାରୀ ଟିମ୍ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।