ଭୁବନେଶ୍ୱର,୨୩/୦୬: ଆଉ ଲାଇଫ୍‌ରେ କେବେ ବି ତୁ ମତେ ଦେଖିବାକୁ ପାଇବୁନି । ସବୁଦିନ ପାଇଁ  ଏ ଦୁନିଆ ଛାଡି ଦେଉଛି । ତୁ ତୋ ନୂଆ  ଲାଇଫ୍‌ ପାର୍ଟନର ସହ ଖୁସିରେ ରହ ।  ମିସ୍‌ ୟୁ ଲୋ ଗେଲୁ ... ଇନ୍‌ଷ୍ଟାଗ୍ରାମ୍‌ରେ  ଏଭଳି ବିରହଭରା ଷ୍ଟାଟସ୍‌ ରଖି ଜଣେ  ଯୁବକ ଜୀବନ ହାରିଛନ୍ତି । ରାଜଧାନୀ  ଉପକଣ୍ଠ ସୁନ୍ଦରପଦା ଅଞ୍ଚଳର ବିରିବନ୍ଧ  ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।  ମୃତକଜଣକ ହେଲେ, ପ୍ରିୟବ୍ରତ  ପ୍ରଧାନ । ସେ ଡିଜେ ଅପରେଟ୍‌ର  ଥିଲେ ।  

ସୂଚନା ମୁତାବକ, ସେ ଉକ୍ତ  ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ । ବାରମ୍ବାର ପ୍ରେମ ନିବେଦନ କରିବା ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା । ଛାତ୍ରୀଜଣକ କିଛି ମାସ  ପରେ ତାଙ୍କ କ୍ଲାସ୍‌ର ଆଉ ଜଣଙ୍କୁ ପ୍ରେମ କରିବାକୁ ଲାଗିଲେ । ଏହା ଜାଣିବା ପରେ ପ୍ରିୟବ୍ରତ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରିୟବ୍ରତ ଅନେକ ଚେଷ୍ଟା କରିବା ସତ୍ତେ୍ୱ ଛାତ୍ରୀଙ୍କ ନିକଟତର ହୋଇପାରିଲେନି । ଗତକାଲି ରାତିରେ  ସେ ନିଜ ବେକରେ ଗାମୁଛା ଗୁଡ଼ାଇ  ଫ୍ୟାନ୍‌ରେ ଝୁଲିପଡ଼ିଲେ । ଏୟାରଫିଲ୍ଡ  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ପ୍ରିୟବ୍ରତଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର  କରିଥିଲା । କ୍ୟାପିଟାଲ ହସ୍ପିଟାଲରେ  ଶବ ବ୍ୟବଚ୍ଛେଦ କରାଯିବା ପରେ  ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର  କରାଯାଇଛି । ପୁଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଚଳାଇଛି ।