ଭୁବନେଶ୍ୱର ୧୩/୦୫: ତ୍ରିକୋଣୀୟ ପ୍ରେମରୁ ୨ ଛାତ୍ରଙ୍କୁ ଅପହରଣ କରାଯାଇ ନିସ୍ତୁକ ମାଡ଼ ମରାଯାଇଛି । ଏକ ପରିତ୍ୟକ୍ତ ଘରେ ୨ ଛାତ୍ରଙ୍କୁ ବାନ୍ଧି ମାଡ଼ମରା ଯାଇଥିବା ବେଳେ ଖବରପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ଅପହର୍ତ୍ତାଙ୍କ କବଳରୁ ୨ ଛାତ୍ରଙ୍କୁ ଉଦ୍ଧାର କରିଛି । ଜଣେ ଛାତ୍ରୀଙ୍କ ସମେତ ୮ ଜଣଙ୍କୁ ପୁଲିସ ଉଠାଇ ଆଣି ସମସ୍ତଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ।
ଗଙ୍ଗପଡାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଛାତ୍ରୀ ଜଣଙ୍କ ପାଠ ପଢ଼ନ୍ତି । ଯାଜପୁରର ରଞ୍ଜନ ବେହେରା ଉକ୍ତ କଲେଜରେ ପଢ଼ୁ ନଥିଲେ ମଧ୍ୟ ଅନେକ ସମୟରେ ସାଙ୍ଗମାନଙ୍କ ସହ ସେଠାକୁ ଯିବାଆସିବା କରୁଥିଲେ । ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଗତ କିଛି ଦିନ ହେବ ଛାତ୍ରୀ ଅନ୍ୟ ଜଣେ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ଜାଣିବା ପରେ ରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ସହ ଥିବା କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ଧମକ ଦେଇଥିଲେ । ତେଣୁ ଛାତ୍ରୀ ଜଣଙ୍କ ନୂଆ ପ୍ରେମିକଙ୍କୁ ଧରି ରଞ୍ଜନଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ସୋମବାର ଛାତ୍ରୀ ଜଣକ ଛଳନା କରି ରଞ୍ଜନଙ୍କୁ ଜଟଣୀ ଗେଟ ନିକଟକୁ ଡକାଇଥିଲେ । ରଞ୍ଜନ ଏବଂ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍ରେ ସେଠାରେ ପହଞ୍ଚିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଛାତ୍ରୀ ତାଙ୍କ ସହଯୋଗୀମାନଙ୍କ ସହ ମିଶି ରଞ୍ଜନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତା’ପରେ ସେମାନେ ଏକ କାର୍ରେ ରଞ୍ଜନ ଏବଂ ତାଙ୍କ ସାଙ୍ଗକୁ ଅପହରଣ କରି ନେଇଥିଲେ । ଲୋକଙ୍କ ଠାରୁ ଖବରପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ହେଲେ ସେତେବେଳକୁ ଅପହର୍ତ୍ତାମାନେ ଉଭୟଙ୍କୁ ନେଇ ପଳାଇଥିଲେ । ସେମାନେ ରଞ୍ଜନ ଓ ସହଯୋଗୀଙ୍କୁ ଛତାବର ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ଯାଇଥିଲେ । ସେଠାରେ ଉଭୟଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଅପହରଣ ହୋଇଥିବା ସ୍ଥାନ ଓ କାର୍ ନମ୍ବର ଆଧାରରେ ପୁଲିସ ତନାଘନଳ ଚଳାଇଥିଲା ।
ଅଧିକ ପଢ଼ନ୍ତୁ :- ପାର୍କିଂ ବିବାଦରୁ ପୁଲିସର ଦବଙ୍ଗଗିରି ଘଟଣା : ଭିଡିଓ ଭାଇରାଲ୍ ପରେ ଘାରିଲା ଗିରଫ ଭୟ, ଫୋନ୍ ସୁଇଚ୍ ଅଫ୍ କରି ବାବୁ ଗାଏବ୍
ରାତି ପ୍ରାୟ ୧୧ଟାରେ ପୁଲିସ ଛତାବର ଅଞ୍ଚଳରୁ ଉଭୟଙ୍କୁ ଉଦ୍ଧାର କରିଥିଲା । ଏଥିସହ ଯୁବତୀଙ୍କ ସମେତ ୮ ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା । ଅପହରଣରେ ବ୍ୟବହୃତ କାର୍କୁ ପୁଲିସ ଜବତ କରିଥିଲା । ତେବେ ସେମାନେ ଛାତ୍ରଛାତ୍ରୀ ହୋଇଥିବାରୁ ପୁଲିସ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା କହିଛି ।