ଝରିଗାଁ ୧୩।୩ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ଶିଉନାଗୁଡା ଗ୍ରାମରେ ବେକରେ ଓଢଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ପ୍ରେମୀ ଯୁଗଳ ହେଉଛନ୍ତି ଶିଉନାଗୁଡା ଗ୍ରାମର ଭଗବାନ ଗୌଡ଼(୧୯) ଓ ଭାଳିଆଗୁଡା ଗ୍ରାମର ସବିତା ଭତ୍ରା(୨୧)।
ଶିଉନାଗୁଡା ଗ୍ରାମର ଲକ୍ଷି ଗୌଦଙ୍କ ପୁଅ ଭଗବାନ ଗୌଡ଼(୧୯) ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ସେହିପରି ଭାଳିଆଗୁଡା ଗ୍ରାମର ସନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତିରେ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ମା’ ସନିବାରି ଶୋଇ ପଡିବା ପରେ ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ।
ଶେଷରେ ଗୁରୁବାରସକାଳୁ ଦୁହେଁ ଶିଉନାଗୁଡା ନିକଟସ୍ଥ କାଜୁ ବଗିଚାରେ ଏକ ଗଛରେ ଉଭୟ ଝୁଲୁଥିବା କିଛି ଲୋକ ଦେଖିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଝରିଗାଁ ପୋଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ।