କେସିଙ୍ଗା,୦୭/୦୮: ପୂର୍ବ ସରକାରଙ୍କ ସମୟରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ତାର ପରିଚାଳନା ପାଇଁ ଏଲ୍ଆଣ୍ଡଟି କମ୍ପାନୀ ସହ ଚୁକ୍ତି ହୋଇଥିଲା । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭ ବେଳକୁ କମ୍ପାନୀର ଚୁକ୍ତି ସରିଯାଇଥିବା ଫଳରେ ବର୍ତ୍ତମାନ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପରିଚାଳନା ନହୋଇ ପଡ଼ି ରହିବା ଯୋଗୁଁ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ରେତ ନଦୀରେ ହୋଇଥିବା ଯୋଲକୋ ଏବଂ ତେଲନଦୀରେ ହୋଇଥିବା ବାହାଦୂରପଦର, ନୁନମାଠ, ତୁଣ୍ଡଲା ଆଦି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଠପ୍ ହୋଇପଡିଛି । ଯେଉଁ କାରଣରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ଚଳିତ ଖରିଫ ଋତୁରେ ଚାଷ ପାଇଁ କେସିଙ୍ଗା ବ୍ଲକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଯୋଗୁଁ ବିଶେଷକରି ଧାନ ଚାଷ ଉପରେ ପ୍ରଭାବ ପଡିଛି । ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନହୋଇ ବର୍ତ୍ତମାନ ଠପ୍ ହୋଇ ପଡି ରହିବା ଯୋଗୁଁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଗାଁଗୁଡିକ ଯୋଲକୋ ରେତ ନଦୀ ସ୍ଥିତ ବୃହତ୍ ମେଗା ଉଠାଜଳସେଚନ ପ୍ରକଳ୍ପରୁ ଗତ କିଛି ଧରି ଉପକୃତ ହୋଇଆସୁଥିଲେ। ଚଳିତ ଖରିଫ ଋତୁରେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହୋଇ ବନ୍ଦ ହୋଇପଡିଛି ।‌ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ଯଥାଶୀଘ୍ର ଚାଲୁ କରିବା ପାଇଁ ଅଞ୍ଚଳର ଅନେକ ଚାଷୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ସଭାପତି ଗୀତାଞ୍ଜଳି ଭୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିବାର ସାତ ଦିନ ଭିତରେ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେଲେ ପଞ୍ଚାୟତର ସମସ୍ତ ଚାଷୀ ଓ ଜନସାଧାରଣ ମିଳିତ ଭାବେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।