ନୂଆଦିଲ୍ଲୀ, ୨୪।୬: ରାଜଧାନୀ ଲକ୍ଷ୍ନୌର ଅଲୀଗଞ୍ଜସ୍ଥିତ ଏକ କୋଚିଂ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ସମଗ୍ର ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେବା ପରେ, ସାରା ରାଜ୍ୟରେ କୋଚିଂ ସେଣ୍ଟର, ହସ୍ପିଟାଲ, ହୋଟେଲ, ଲାଇବ୍ରେରୀ ଏବଂ ବହୁତଳ ପ୍ରାସାଦଗୁଡ଼ିକର ସୁରକ୍ଷା ଯାଞ୍ଚ ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ପ୍ରାଥମିକ ଯାଞ୍ଚ ବେଳେ ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ମାର୍ଗ , ବିଲ୍ଡିଂ କୋଡ୍ ଏବଂ ପଞ୍ଜୀକରଣ ସହ ଜଡ଼ିତ ଅନେକ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି । ରାଜ୍ୟ ସରକାର ଏହି ମାମଲାରେ 'ଜିରୋ ଟଲରାନ୍ସ' ନୀତି ଆପଣାଇ ଜିଲ୍ଲାପାଳ, ବିକାଶ କର୍ତ୍ତୃପକ୍ଷ, ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ସୁରକ୍ଷା ବିଭାଗକୁ ମିଳିତ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରୟାଗରାଜରେ ‘ଖାନ୍ ଗ୍ଲୋବାଲ୍ କ୍ଲାସେସ୍’ ସିଲ୍:
ସଙ୍ଗମ ନଗରୀ ପ୍ରୟାଗରାଜରେ ପ୍ରଶାସନର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପ୍ରୟାଗରାଜ ବିକାଶ କର୍ତ୍ତୃପକ୍ଷ (PDA) ସିଭିଲ୍ ଲାଇନ୍ସରେ ଚାଲିଥିବା ପ୍ରସିଦ୍ଧ 'ଖାନ୍ ଗ୍ଲୋବାଲ୍ କ୍ଲାସେସ୍' କୁ ସିଲ୍ କରିଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ବିଲ୍ଡିଂରେ ଏହି କୋଚିଂ ଚାଲିଥିଲା, ତାହାର ନକ୍ସା କେବଳ ବ୍ୟବସାୟିକ ବ୍ୟବହାର ପାଇଁ ଅନୁମୋଦିତ ଥିଲା, ଯେତେବେଳେ କି କୋଚିଂ ସେଣ୍ଟର ଚଲାଇବା 'ସାମୁଦାୟିକ ସୁବିଧା' ଶ୍ରେଣୀଭୁକ୍ତ । ଆବଶ୍ୟକ ଜମି ବ୍ୟବହାର ଅନୁମତି ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଲ୍ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ବିନା ଅନୁମତିରେ ସିଲ୍ ଭାଙ୍ଗିଲେ ମାମଲା ରୁଜୁ ହେବ ବୋଲି ପ୍ରଶାସନ ଚେତାବନୀ ଦେଇଛି ।
ଏହା ବି ପଢ଼ନ୍ତୁ... ଖାନ୍ ସାରଙ୍କ କୋଚିଂ ସେଣ୍ଟର ସିଲ୍ , ଜାଣନ୍ତୁ କାହିଁକି ହେଲା କାର୍ଯ୍ୟାନୁଷ୍ଠାନ ?
ନୋଏଡ଼ାରେ ଦୁଇଟି କୋଚିଂ ସେଣ୍ଟର ତତ୍କାଳ ସିଲ୍:
ଲକ୍ଷ୍ନୌ ଅଗ୍ନିକାଣ୍ଡ ପରେ ୟୁପିର ବିଭିନ୍ନ କୋଚିଂ ସେଣ୍ଟର ଏବି ହୋଟେଲ ଉପରେ ଚଢ଼ଉ ହୋଇଛି । ଏ ପର୍ଯ୍ୟନ୍ତ ୪୮ଟି କୋଚିଂ ସେଣ୍ଟର ଏବଂ ୩ଟି ହୋଟେଲକୁ ସିଲ୍ କରାଯାଇଛି । ଗୌତମବୁଦ୍ଧ ନଗର ପ୍ରଶାସନର ଏକ ମିଳିତ ଟିମ୍ ନୋଏଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସେକ୍ଟର-୧୦୪ ସ୍ଥିତ 'ଓମ୍ କୋଚିଂ ସେଣ୍ଟର'ରେ ଯାଞ୍ଚ ବେଳେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମାତ୍ର ଏକ ସଂକୀର୍ଣ୍ଣ ଗଳି ଥିବା ଜଣାପଡ଼ିଥିଲା। ଏହାସହ ସେଣ୍ଟରର ପଞ୍ଜୀକରଣ କିମ୍ବା ଫାୟାର ଏନଓସି (NOC) ମଧ୍ୟ ନଥିଲା । ସେହିପରି ସେକ୍ଟର-୪୯ ସ୍ଥିତ 'ବାସୁ କୋଚିଂ ସେଣ୍ଟର' ତିନି ମହଲା ବିଶିଷ୍ଟ ବିଲ୍ଡିଂରେ ଚାଲିଥିଲେ ସୁଦ୍ଧା ସେଠାରେ କୌଣସି ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ନଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଦୁଇଟିଯାକ ସଂସ୍ଥାକୁ ତତ୍କାଳ ସିଲ୍ କରାଯାଇଛି ।
ସରକାରଙ୍କ ସ୍ପଷ୍ଟ ବାର୍ତ୍ତା: ସୁରକ୍ଷା ସହ ସାଲିସ୍ ନାହିଁ
ଉତ୍ତରପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ସମସ୍ତ କୋଚିଂ ସେଣ୍ଟରଗୁଡ଼ିକର ଏକ ବ୍ୟାପକ ସର୍ଭେ କରାଯାଉଛି । ଯେଉଁ ସଂସ୍ଥାଗୁଡ଼ିକ 'ଉତ୍ତରପ୍ରଦେଶ କୋଚିଂ ନିୟମାବଳୀ ଅଧିନିୟମ' ଅନୁଯାୟୀ ପଞ୍ଜୀକୃତ ହୋଇନାହାନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ବିଲ୍ଡିଂ ସେଫ୍ଟି, ଅଗ୍ନିଶମ ବ୍ୟବସ୍ଥା, ବିଦ୍ୟୁତ ସୁରକ୍ଷା ଏବଂ ଭିତ୍ତିଭୂମିର ଅଡିଟ୍ କରାଯାଉଛି । ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ଏବଂ ଏକ ଗୁଣାତ୍ମକ ଶିକ୍ଷା ଗ୍ରହଣର ପରିବେଶ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ପ୍ରକାଶ କରିଛନ୍ତି ।