କଟକ/ ବାରଙ୍ଗ ୧୬/୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣା। ବଢ଼ିଲା ଓଏସ୍ ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ । ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୁଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଭୀମସେନ ଟୁଡୁ ଓ ତାଙ୍କ ନୂଆ ପ୍ରେମିକା ପୁଲିସ ସ୍କାନ୍ରେ ଅଛନ୍ତି। ଓଏଏସ୍ ପ୍ରେମିକ ଓ ଚନ୍ଦ୍ରିକାଙ୍କ ସମ୍ପର୍କରେ ମଧ୍ୟ କଣ ବିବାଦ ଥିଲା ତାର ଖିଅ ଯୋଡିବାକୁ ବାରଙ୍ଗ ପୁଲିସ ତଦନ୍ତ ଚଳାଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଏନେଇ କଟକ କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି।
ଡିସିପି ଆହୁରି କହିଛନ୍ତି ଯେ, ଉଦଳାରେ ବାରଙ୍ଗ ପୁଲିସ ଚନ୍ଦ୍ରିକାଙ୍କ ମା, ଭାଇ, ସମ୍ପର୍କୀୟଙ୍କୁ ପଚରାଉଚରା କରି ଫେରିଛି । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ତାଙ୍କ ମାଆଙ୍କ ହ୍ବାଟଆପ୍ ଚାଟ୍ ହସ୍ତଗତ ହୋଇଛି। ଅଭିଯୁକ୍ତ ଭୀମସେନ ବାବଦରେ ମାଆ, ଝିଅଙ୍କ ମଧ୍ୟରେ ଚାଟିଂ ହୋଇଥିଲା। ଆଇନଗତ ପଦକ୍ଷେପ ନଚେତ କିଛି ବଡ଼ ପଦକ୍ଷେପ ନେବି ବୋଲି ଚନ୍ଦ୍ରିକା ଲେଖିଥିଲେ । ମୁଁ ଯଦି କିଛି ପଦକ୍ଷେପ ନେଉଛି ତାହେଲେ ତମେ ପୁରୁଷ ବନ୍ଧୁ ଭୀମସେନ ବିରୋଧରେ କେସ ଦେବାକୁ ଚନ୍ଦ୍ରିକା ମାଙ୍କୁ ମେସେଜ କରିଥିଲେ। ପୁଲିସ ଦୁଇ ଜଣଙ୍କ ମୋବାଇଲ ଜବତ କରିଛି। ସେହିଭଳି ଭୀମସେନ ଓ ଚନ୍ଦ୍ରିକାଙ୍କ ମାଆ ମଧ୍ୟରେ ବାର୍ତ୍ତାଳପ ଅଡିଓ ମଧ୍ୟ ମିଳିଛି । ଏହି ଡିଜିଟାଲ୍ ତଥ୍ୟକୁ ପ୍ରମାଣ ଭାବେ ବିବେଚନା କରାଯିବ । ଭୀମସେନକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ। ଚନ୍ଦ୍ରିକା ଭୁବନେଶ୍ୱର ଆସି କାହା ପାଖେ ରହୁଥିଲେ ସେ ସବୁ ଦିଗରେ ତଦନ୍ତ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ରିକା ଗତ ୩ ତାରିଖରେ ଭୁବନେଶ୍ୱର ଆସିବା ବେଳେ ଯେଉଁସବୁ ସ୍ଥାନକୁ ଯାଇଥିଲେ ତାର ଫୁଟେଜ୍ ସଂଗ୍ରହ ଜାରି ରହିଛି । ଚନ୍ଦ୍ରିକା ପୂର୍ବରୁ କଟକର ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ପଢ଼ୁଥିବାରୁ ସେ’ କଟକ ବିଷୟରେ ଭଲଭାବେ ଅବଗତ ଥିଲେ । ତେଣୁ ଭୁବନେଶ୍ୱରର ଏକାଧିକ ସ୍ଥାନକୁ ଯିବା ପରେ ଏକ ଅଟୋ ଯୋଗେ ତ୍ରିଶୂଳିଆ ଛକକୁ ଆସିଥିଲେ । ସେଠାରେ ଅଟୋରୁ ଓହ୍ଲାଇ ଚାଲିଚାଲି ନେତାଜୀ ସେତୁ ଉପରକୁ ଯାଇଥିଲେ । ଏହି ସମୟରେ ସିସିଟିଭି ଫୁଟେଜ୍ ବାରଙ୍ଗ ଥାନା ପୁଲିସ ହାତରେ ଲାଗିଛି । ବାରଙ୍ଗ ଥାନା ପୁଲିସ ଏବେ ଅନ୍ୟ ଏକ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଥିବା ସୂଚନା ମିଳିଛି । ଚନ୍ଦ୍ରିକାଙ୍କ ଉପରେ ଭୀମସେନ୍ ଗୋରା ହେବାକୁ ଚାପ ପକାଉଥିଲେ ବୋଲି ଅଭିଯୋଗ ହେଉଥିଲା । ଏଥିରେ କେତେ ସତ୍ୟତା ରହିଛି ପୁଲିସ ତାହାର ତଥ୍ୟ ସଂଗ୍ରହ କରି ତର୍ଜମା କରୁଛି । ଯଦି ଏନେଇ ତଥ୍ୟ ପ୍ରମାଣ ମିଳେ ତାହେଲେ ‘ବର୍ଣ୍ଣ ଭେଦଭାବ’ ସମ୍ପର୍କିତ କିଛି ଧାରା ଯୋଡ଼ାଯାଇପାରେ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ :- Chandrika Case : ଭୀମସେନ ବାନ୍ଧବୀଙ୍କ ସଂପୃକ୍ତି ନେଇ ପଚରାଉଚରା, ମିଳିଥିବା ତଥ୍ୟରୁ ଖିଅ ଯୋଡ଼ୁଛି ପୁଲିସ