ପୁରୀ, ୨୪।୬: ରାଜ୍ୟରେ ଆଇପିଏଲ୍ ମ୍ୟାଚ୍କୁ ନେଇ ଚାଲିଥିବା ବେଆଇନ ସଟ୍ଟାବଜାର ଉପରେ ପୁରୀ ପୁଲିସକୁ ଏକ ବଡ଼ ସଫଳତା ମିଳିଛ । ପୁରୀ ବାସେଳୀସାହି ଥାନା ଅଞ୍ଚଳରେ ଚାଲିଥିବା ହାଇପ୍ରୋଫାଇଲ୍ ଆଇପିଏଲ୍ ବେଟିଂ ରାକେଟ୍ର ମୁଖ୍ୟ କାର୍ପଟଦାରକୁ ବ୍ରହ୍ମପୁରରୁ ଗିରଫ କରିଛି ପୁରୀ ସାଇବର ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କ୍ରିଷ୍ଣାପ୍ରସାଦ ତ୍ରିପାଠୀ ଓରଫ ସୀତୁ । ସେ ଏହି ବେଟିଂ ସାମ୍ରାଜ୍ୟ ଚଲାଉଥିବା ଚର୍ଚ୍ଚିତ ‘ନମସ୍ତେ ଗ୍ରୁପ୍’ର ମୁଖ୍ୟ ବୋଲି ଜଣାପଡ଼ିଛି । ଗତ ଏପ୍ରିଲ ମାସରେ ପୁରୀ ବାସେଳୀସାହି ପୁଲିସ ଏହି ଆଇପିଏଲ୍ ବେଟିଂ ରାକେଟ୍ର ପର୍ଦ୍ଦାଫାଶ କରିଥିଲା । ସେବେଠାରୁ ମୁଖ୍ୟ ଅଭିଯୁକ୍ତ ସୀତୁ ଫେରାର ଥିଲା । ଗୁପ୍ତ ସୂଚନା ଆଧାରରେ ପୁରୀ ସାଇବର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବ୍ରହ୍ମପୁରରେ ଚଢ଼ାଉ କରି ସୀତୁ ଏବଂ ତାଙ୍କ ଭାଇକୁ ଉଠାଇ ଆଣିଥିଲା । ଏହାପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଦୀର୍ଘ ସମୟ ଧରି ଉଭୟଙ୍କୁ ଜେରା କରାଯାଇଥିଲା ।
ଏହା ବି ପଢ଼ନ୍ତୁ... Weather update: ଚାଷୀଙ୍କ ପାଇଁ ଆଶ୍ଵସ୍ତିକର ଖବର, ଜୁନ୍ ଶେଷ ବେଳକୁ ସୃଷ୍ଟି ହୋଇପାରେ ଡବଲ୍ ଘୂର୍ଣ୍ଣିବଳୟ
ତଦନ୍ତରୁ ସାଇବର ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଅଭିଯୁକ୍ତ ସୀତୁର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ସେଥିରେ କୋଟି କୋଟି ଟଙ୍କାର ବେଆଇନ କାରବାର ହୋଇଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ଆଇପିଏଲ ମ୍ୟାଚ୍ ସମୟରେ ଅନଲାଇନ୍ ମାଧ୍ୟମରେ ଏହି ବେଟିଂ ଟଙ୍କାର କାରବାର ହେଉଥିଲା । ପୁଲିସ ସୀତୁଙ୍କୁ ଅଟକ ରଖିଥିଲା । ତେବେ ଏହି ବେଟିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୀତୁକୁ ନିଜ ସାଙ୍ଗରେ ପୁରୀ ନେଇ ଆସିଛି । "ଏହି ଆଇପିଏଲ ବେଟିଂ ରାକେଟର ଚେର ଆହୁରି ଅନେକ ଆଡ଼କୁ ଲମ୍ବିଛି । ସୀତୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କଲେ ଏହି ନେଟୱର୍କରେ ସାମିଲ ଥିବା ଅନ୍ୟ ବଡ଼ ବଡ଼ ବୁକିଂ ଏବଂ ସହଯୋଗୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ" ବୋଲି ପୁଲିସ କହିଛି ।