କଟକ/କଣ୍ଟାପଡ଼ା, ୧୯/୦୬:  ଜିଆର୍‌ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ  ଭିଡ଼ହତ୍ୟା ଘଟଣାରେ ବୁଧବାର ଆଇପିଏସ୍‌  ଦୟାଲ୍‌ ଗଙ୍ଗୱାର ସସ୍‌ପେଣ୍ଡ୍‌ ହୋଇଛନ୍ତି ।  ଏହି ପରିପ୍ରେକ୍ଷୀରେ ମୃତ ସୌମ୍ୟଙ୍କ ବାପା ଦୁଃଶାସନ ସ୍ୱାଇଁ ଓ ମା’ କବିତା ସ୍ୱାଇଁ ମୁହଁ ଖୋଲି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ ଦାବି କରିଛନ୍ତି । ବାପା ଦୁଃଶାସନ କହିଛନ୍ତି, ସସ୍‌ପେଣ୍ଡ୍‌  କରି କ’ଣ ବଡ଼ କଥା କରିଦେଲେ? ୬ ମାସ ପରେ ପୁଣି ଚାକିରିରେ ଯୋଗ ଦେବେ । ଏବେ  ଅଧା ଦରମା ପାଇବେ । ଲାଭ କ’ଣ ହେଲା?  ଗଙ୍ଗୱାରଙ୍କୁ ସସ୍‌ପେଣ୍ଡ୍‌ ନୁହେଁ ବରଂ ଚାକିରିରୁ ବହିଷ୍କାର କରାଯାଉ । ଜେଲ୍‌ ଦଣ୍ଡ ଦିଆଯାଉ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ ସେ ଆମ ପୁଅର ହତ୍ୟା ଘଟଣାକୁ ଏତେ ଗୁରୁତ୍ୱର ସହ ନେଇଛନ୍ତି ।  କିନ୍ତୁ ଆମେ ପୂର୍ବରୁ ବି କହିଥିଲୁ, ଏବେ ବି  କହୁଛୁ କି କ୍ରାଇମବ୍ରାଞ୍ଚ୍‌ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ । ଆମେ ତ’ଘଟଣା ପରଠାରୁ ସିବିଆଇ ତଦନ୍ତ ଦାବି କରିଆସୁଛୁ । ପୁଅର ମୃତ୍ୟୁ ପଛରେ  ବହୁତ ବଡ଼ ଷଡଯନ୍ତ୍ର ରହିଛି । ମୁଖ୍ୟମନ୍ତ୍ରୀଙ୍କୁ  ଅନୁରୋଧ ସିବିଆଇ ତଦନ୍ତରୁ ଆମକୁ ସହଯୋଗ କରନ୍ତୁ ବୋଲି ବାପା ଶ୍ରୀ ସ୍ୱାଇଁ ଦାବି କରିଛନ୍ତି ।  

ଅଧିକ ପଢ଼ନ୍ତୁ :-  ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

​​​​​​​​​​​​​​

ସୌମ୍ୟ ଜୀବିତ ଥିବାବେଳେ ଶ୍ରୀ ଗଙ୍ଗୱାରଙ୍କ ଘରେ ବୋଲହାକ  କରୁଥିବାର ଅଭିଯୋଗ ଉଠିଥିଲା ।  ଏମିତିକି ଆଇପିଏସ୍‌ ଜଣକ ତାଙ୍କ ପୁଅକୁ ନିର୍ଯାତନା ଦେଉଥିବା ନେଇ ସୌମ୍ୟଙ୍କ ପରିବାର ଲୋକ  ଦୋଷାରୋପ କରିଥିଲେ । ଏହି  ମାମଲାରେ ବିବାଦରେ ଛନ୍ଦି ହେବା ପରେ ଶ୍ରୀ ଗଙ୍ଗୱାରଙ୍କ  ଅଡୁଆ ବଢ଼ିଥିଲା । ଗତମାସ ୨୫  ତାରିଖରେ ପ୍ରଥମେ ଶୃଙ୍ଖଳାଗତ  କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଗୃହ  ବିଭାଗର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଥିଲା ।  

ସୌମ୍ୟଙ୍କୁ ନିର୍ଯାତନା  ନେଇ  ଜାତୀୟ ମାନବ ଅଧିକାର ଆୟୋଗ  (ଏନ୍‌ଏଚ୍‌ଆର୍‌ସି)ରେ ପିଟିସନ  ଦାଖଲ ହେଲା । ଆୟୋଗଙ୍କ  ନିର୍ଦ୍ଦେଶ ମୁତାବକ, ୨ଜଣିଆ ସ୍ୱତନ୍ତ୍ର  ଟିମ୍‌ ଭୁବନେଶ୍ୱର ଆସି ୫ ଦିନ  ଧରି ମାମଲାର ତଦନ୍ତ କରିଥିଲା ।  ସୌମ୍ୟଙ୍କୁ ନିର୍ଯାତନା   ଅଭିଯୋଗ ବାବଦକୁ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ  ମଧ୍ୟ ତଦନ୍ତ କରିଥିଲା । ଏହାପରେ ଏଡିଜି ଅରୁଣ ବୋଥ୍ରା  ଏହି ଅଭିଯୋଗର ତଦନ୍ତ କରି ପୁଲିସ ମହାନିର୍ଦ୍ଦେଶକ ୱାଇ  ବି ଖୁରାନିଆଙ୍କୁ ରିପୋର୍ଟ ଦେଇଥିଲେ । 

ସୌମ୍ୟଙ୍କ ମା’  କବିତାଙ୍କ କହିବା ମୁତାବକ, ମୁଁ ଆଦୌ ଖୁସି ନାହିଁ । ତାଙ୍କୁ  ଚାକିରିରୁ ବହିଷ୍କାର କରାଯାଉ । ଏଥିସହ ହତ୍ୟାର ସିବିଆଇ  ତଦନ୍ତ କରାଯାଉ ।  ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରି ବୀଭତ୍ସ  ଭାବେ ମୋ ପୁଅକୁ ହତ୍ୟା କରାଗଲା । ଯେଉଁମାନେ ତାକୁ  ପିଟିପିଟି ମାରିଦେଲେ, ଏମିତିକି ଯେଉଁମାନେ ଏସବୁ ଘୃଣ୍ୟ  ଦୃଶ୍ୟକୁ ଚୁପ୍‌ଚାପ୍‌ ଦେଖୁଥିଲେ, ବିରୋଧ କରୁନଥିଲେ  ସମସ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଅଡ଼ଶପୁରରେ  ଥିବା ସୌମ୍ୟଙ୍କର ଏକ ଜିମ୍‌କୁ ମଧ୍ୟ କ୍ରାଇମବ୍ରାଞ୍ଚ  ଟିମ୍‌ ଯାଇଥିଲା । ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ  ନେତୃତ୍ୱରେ ଏହି ଟିମ୍‌ ଜିମ୍‌ର କର୍ମକର୍ତ୍ତାଙ୍କ  ସହିତ କଥା ହୋଇଥିଲେ । ସୌମ୍ୟଙ୍କ ବିଷୟରେ  ବିଭିନ୍ନ କଥା ପଚାରି ବୁଝିଥିଲେ । ପରେ ଜିମ୍‌ର  ଅଫିସିଆଲ୍‌ କାଗଜପତ୍ର ମଧ୍ୟ ଯାଞ୍ଚ୍‌ କରିଥିଲେ ।  ଉକ୍ତ କାଗଜପତ୍ରର କିଛି କପି ମଧ୍ୟ ଏହି ଟିମ୍‌  ନେଇଥିଲା । ଏହା ସହିତ ସିସିଟିଭିକୁ ମଧ୍ୟ ଯାଞ୍ଚ୍‌  କରାଯାଇଥିଲା । ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌  ସୌମ୍ୟଙ୍କ ମାଆଙ୍କୁ ଭେଟି ପଚରାଉଚୁରା କରିଥିଲା ।  ଏହି ସମୟରେ କ୍ରାଇମବ୍ରାଞ୍ଚ ଟିମ୍‌କୁ ଏକ ଡାଏରୀ  ଦେଇଥିଲେ ସୌମ୍ୟଙ୍କ ମାଆ କବିତା ସ୍ୱାଇଁ । ଉକ୍ତ  ଡାଏରୀରେ ଏକାଧିକ ବିଷୟ ସୌମ୍ୟ ଲେଖୁଥିଲେ ।  ଏଥିସହିତ ସୌମ୍ୟଙ୍କର ଆଉ କିଛି ଜିନିଷ ମଧ୍ୟ  ତଦନ୍ତକାରୀ ଟିମ୍‌କୁ ସୌମ୍ୟଙ୍କ ମାଆ ଦେଇଥିଲେ ।