ନୂଆଦିଲ୍ଲୀ : କୋଲକାତା- ଲକ୍ଷ୍ନୌ ମଧ୍ୟରେ କଡ଼ା ଟକ୍କର। ଛକା ମାରି ସ୍କୋର ବରାବର କଲେ ସାମି । କୋଲକାତା ୧୫୫ ରନ କରିଥିବାବେଳେ ଲକ୍ଷ୍ନୌ ମଧ୍ୟ ସମାନ ସ୍କୋର କରିଛି । ଏବେ ମ୍ୟାଚ ନିର୍ଣ୍ଣୟ ପାଇଁ ଖେଳାଯିବ ସୁପର ଓଭର । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏବଂ ବୈଭବ ଅରୋରା ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ଅନୁକୂଳ ରୟ, ଗ୍ରୀନ, କାର୍ତ୍ତିକ ତ୍ୟାଗୀ ଏବଂ ନାରାୟଣ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
୧୫୬ ରନକୁ ପିଛା କରୁଥିବାବେଳେ ପ୍ରଥମରୁ ଆଉଟ୍ ହୋଇଥିଲେ ମିଚେଲ ମାର୍ଶ । ସେ ମାତ୍ର ୨ ରନ୍ କରି ପାଭିଲିୟନ ଫେରିଥିଲେ । ପରେ ପନ୍ତ ଏବଂ ମାକ୍ରମ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ମାକ୍ରମ ୩୧ ରନ କରିଥିବାବେଳେ ପନ୍ତ ୪୨ ରନ୍ କରିଥିଲେ । ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ମୁକୁଲ ଚୌଧୁରୀ ଏବଂ ପୁରନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଆୟୂଷ ବଦୋନୀ ୧୯ ବଲରୁ ୨୪ ରନ କରି ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ୍ ହୋଇଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । KKR ୭ ଓ୍ବିକେଟ୍ ବିନିମୟରେ ୧୫୫ କରିଥିଲା । କୋଲକାତାର ଦୁଇ ଓପନର ଆଜି ମଧ୍ୟ ଫ୍ଲପ୍ ହୋଇଥିଲେ । ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୮୩ ରନ କରିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ ଫ୍ଲପ୍ ହୋଇଥିଲେ । ଲକ୍ଷ୍ନୌ ପକ୍ଷରୁ ମହସିନ୍ ଖାନ ସର୍ବାଧିକ ୫ ଓ୍ବିକେଟ୍ ନେଇ କୋଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।
ସେପଟେ କୋଲକାତାର ବ୍ୟାଟ୍ସମ୍ୟାନଙ୍କ କଥା ଯଦି କହିବା ତାହେଲେ ସେଫର୍ଟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବାବେଳେ ରାହାଣେ ୧୫ ବଲରୁ ୧୦ ରନ କରିଥିଲେ । ଭୁଲ୍ ନିଷ୍ପତ୍ତି ପାଇଁ ରନ୍ ଆଉଟ ହୋଇଥିଲେ ରଘୁବାଂଶୀ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗ୍ରୀନ ୨୧ ବଲରୁ ୩୪ ରନ କରିଥିବାବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।