ଭୁବନେଶ୍ୱର,୦୭/୦୯: ଆଜି ରାତିରେ ସଙ୍ଗଠିତ ହେବ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣକୁ ଭାରତୀୟ ସମୟ ରାତି ୯ଟା୫୭ ମିନିଟରୁ ୧ଟା ୨୬ ମିନିଟ୍ ଯାଏ ଖାଲିଆଖିରେ ଦେଖିହେବ । ରାତି ୧୧ଟାରୁ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ୧ ଘଣ୍ଟା ୨୨ ମିନିଟ ଧରି ପୂର୍ଣ୍ଣ ଗ୍ରହଣ ରହିବ ଓ ସେହି ସମୟରେ ଚନ୍ଦ୍ର ନାଲି ରଙ୍ଗ ଦେଖାଯିବ ବୋଲି ବରିଷ୍ଠ ଜନ ବିଜ୍ଞାନୀ ଡ. ଶୁଭେନ୍ଦୁ ମୋହନ ପଟ୍ଟନାୟକ କହିଛନ୍ତି । ୧ଟା ୨୭ ମିନିଟରେ ଗ୍ରହଣ କାଳ ଶେଷ ହେବ ।
ଡ. ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଗ୍ରହଣ ରାତି ୯ଟା ୫୭ ମିନିଟରୁ ଆରମ୍ଭ ହେବ । ସେହି ସମୟରେ ଚନ୍ଦ୍ର ଚନ୍ଦ୍ରଛାୟାରେ ପ୍ରବେଶ କରିବ । ରାତି ୧୧ଟାରୁ ୧୨ଟା ୨୨ ଯାଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ । ଏହାପରେ ଚନ୍ଦ୍ର ଛାୟାରୁ ବାହାରିବା ଆରମ୍ଭ କରିବ । ପ୍ରାୟ ୧ଟା ୨୬ ମିନିଟ ସମୟରେ ସମ୍ପୂର୍ଣ୍ଣ ଛାୟାରୁ ବାହାରିଯିବ । ଭାରତ ତଥା ଓଡ଼ିଶାରେ ଗ୍ରହଣ ଆରମ୍ଭରୁ ଶେଷ ଯାଏ ଦୃଶ୍ୟମାନ ହେବ । ଏଥିସହ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ମଧ୍ୟ ଦେଖାଯିବ । ଗ୍ରହଣ ସମୟରେ "ଚନ୍ଦ୍ର ଓ ସୂର୍ଯ୍ୟ' ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ।
ସେହିପରି ସୂର୍ଯ୍ୟ କିରଣ ପୃଥିବୀର ବାୟୁମଣ୍ଡଳ ଦେଇ ଯିବାବେଳେ ଏହାର ସମସ୍ତ ଅପେକ୍ଷାକୃତ କମ୍ "ତରଙ୍ଗ ଦୈର୍ଘ୍ୟର ଆଲୋକ' ପଡ଼େ । ଇନ୍ଦ୍ରଧନୁର ପ୍ରଥମ ୫ଟି ରଙ୍ଗ ଯଥା ବାଇଗଣି, ଘନ ନୀଳ, ନୀଳ, ସବୁଜ, ହଳଦିଆ ଆଦି ରଙ୍ଗର ଆଲୋକ ବାୟୁ ମଣ୍ଡଳରେ ପୂରାପୂରି ବିଚ୍ଛୁରିତ ହୋଇ ଯାଇଥାଏ । ମାତ୍ର ଅପେକ୍ଷାକୃତ "ଅଧିକ ତରଙ୍ଗ ଦୈର୍ଘ୍ୟର ଆଲୋକ' ନାରଙ୍ଗୀ ଓ ନାଲି ରଙ୍ଗ ପୂରା ବିଚ୍ଛୁରିତ ନହୋଇ ବାୟୁମଣ୍ଡଳ ଭିତରେ ଗତିକରି ଚନ୍ଦ୍ରରେ ପଡ଼ିଥାଏ । ଏହାଯୋଗୁ ଚନ୍ଦ୍ର ନାଲି ରଙ୍ଗ ଧାରଣ କରେ ।
ପୂର୍ଣ୍ଣ ଗ୍ରହଣ ଗୋଟିଏ ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ । ଆକାଶ ମେଘମୁକ୍ତ ରହିଲେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଏହା ଖାଲି ଆଖିରେ ଦେଖିହେବ ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି ।