ନୂଆଦିଲ୍ଲୀ,୨୯/୧୨:୨୦୨୪ରେ ଲକ୍‌ଜ୍ୟୁରୀ କାର୍‌ ଚାହିଦା ବଡ଼ ଆକାରରେ ବଢ଼ିଛି । ତଥ୍ୟ ଅନୁସାରେ, ଏ ବର୍ଷ ପ୍ରତି ଘଣ୍ଟାରେ ଏଭଳି ୬ଟି ଲକ୍‌ଜ୍ୟୁରୀ କାର୍‌ ବିକ୍ରି ହୋଇଛି, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ । ଅର୍ଥାତ୍‌ ପ୍ରତି ୧୦ ମିନିଟ୍‌ରେ ଗୋଟିଏ ଲକ୍‌ଜ୍ୟୁରୀ କାର ବିକ୍ରି ହୋଇଛି । ଏହି କାର୍‌ଗୁଡ଼ିକ ମଧ୍ୟରେ ଅଡି ଏବଂ ମର୍ସିଡିଜ୍‌ ବେଞ୍ଜ୍‌ ଭଳି ବଡ଼ ବଡ଼ ବ୍ରାଣ୍ଡ୍‌ ସାମିଲ ଅଛି । ୫ ବର୍ଷ ତଳେ ପ୍ରତି ଘଣ୍ଟାରେ ଲକ୍‌ଜ୍ୟୁରୀ କାର ବିକ୍ରି ସଂଖ୍ୟା ମାତ୍ର ଦୁଇ ଥିଲା । ଏଭଳି କ୍ଷେତ୍ରରେ ୫ ବର୍ଷରେ ଏଥିରେ ୩ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ଏଥିରୁ ଜଣାପଡୁଛି, ଦେଶରେ ସ୍ୱଚ୍ଛଳ ବର୍ଗଙ୍କ ସଂଖ୍ୟା ବଢୁଛି । ଗଣାମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୫ରେ ଲକ୍‌ଜ୍ୟୁରୀ କାର ନିର୍ମାତା ଦୁଇ ଡଜନ୍‌ରୁ ଅଧିକ ନୂଆ ଗାଡ଼ି ବଜାରକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଶିଳ୍ପ ବିଶେଷଜ୍ଞଙ୍କ ଅନୁସାରେ, ବର୍ଷ ୨୦୨୫ରେ ଲକ୍‌ଜ୍ୟୁରୀ କାର ବିକ୍ରିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିପାରେ । ଆଲୋଚ୍ୟ ବର୍ଷରେ ବିକ୍ରି ୫୦ ହଜାର ୟୁନିଟ୍‌ ପାର୍‌ କରିବ ବୋଲି ଆଶା ରହିଛି । ଯଦି ଏହା ହୁଏ ତେବେ ଏହା ଏଯାବତ୍‌ ପ୍ରଥମ ହେବ ।

 ଅଡି ଇଣ୍ଡିଆ ମୁଖ୍ୟ ବଲ୍‌ବୀର ସିଂହ ଧିଲନ୍‌ କହିଛନ୍ତି ଯେ, ଆଶା ରହିଛି ୨୦୨୫ରେ ଶିଳ୍ପ ୮ରୁ୧୦% ଅଭିବୃଦ୍ଧି ହାରରେ ବଢ଼ିବ । ସେହିଭଳି ମର୍ସିଡିଜ୍‌ ବେଞ୍ଜ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଆୟର କହିଛନ୍ତି ଯେ, ବର୍ଷ ୨୦୨୫ରେ ଲକ୍‌ଜ୍ୟୁରୀ କାର ବିକ୍ରିରେ ଭଲ ବୃଦ୍ଧି ଦେଖିବାକୁ ମିଳିବ । ପ୍ରକାଶଯୋଗ୍ୟ, ୨୦୨୪ରେ ମର୍ସିଡିଜ୍‌ ବେଞ୍ଜ୍‌ ଇଣ୍ଡିଆର କାର ବିକ୍ରି ୨୦ ହଜାର ୟୁନିଟ୍‌ ହୋଇଯିବ । କମ୍ପାନି ସେପ୍ଟେମ୍ବର ପର୍ଯ୍ୟନ୍ତ ୯ ମାସରେ ବିକ୍ରିରେ ୧୩% ଅଭିବୃଦ୍ଧି ହାସଲ କରିଛି । ଆଲୋଚ୍ୟ ଅବଧିରେ କମ୍ପାନି ୧୪,୩୭୯ ୟୁନିଟ୍‌ ଗାଡ଼ି ବିକ୍ରି କରିଛି । ସେହିଭଳି ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆର ବିକ୍ରି ପ୍ରାୟ ୫% ବଢ଼ି ରେକର୍ଡ ୧୦,୫୫୬ ୟୁନିଟ୍‌ ରହିଛି । ଅଡ଼ି ଇଣ୍ଡିଆ ପ୍ରକାଶ କରିଛି ଯେ, ନୂଆ ବର୍ଷରେ କମ୍ପାନି ଏହାର ବିକ୍ରି ଗତି ବଢ଼ାଇବା ପାଇଁ ପ୍ରସ୍ତୁତ ଅଛି । ଦେଶରେ ଅରବପତିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନାଇଟ୍‌ ଫ୍ରାଙ୍କ୍‌ର ‘ଦ ୱେଲ୍‌ଥ ରିପୋର୍ଟ-୨୦୨୪’ ଅନୁସାରେ, ଅତିଧନୀ ଭାରତୀୟଙ୍କ ସଂଖ୍ୟା ୨୦୨୩ରେ ୧୩୨୬୩ ଥିବାବେଳେ ୨୦୨୮ରେ ଏହା ୧୯୯୦୮ ହେବାର ଆଶା ରହିଛି । ଶିଳ୍ପ ବିଶେଷଜ୍ଞଙ୍କ ଅନୁସାରେ, ଦେଶରେ ଅରବପତିଙ୍କ ସଂଖ୍ୟା ବଢ଼ିବା ଦ୍ୱାରା ଲକ୍‌ଜ୍ୟୁରୀ କାର ବିକ୍ରିରେ ବଡ଼ ଆକାରର ବୃଦ୍ଧି ଦେଖିବାକୁ ମିଳିବ । ଲୋକଙ୍କ କ୍ରୟ କ୍ଷମତା ବଢୁଛି । ଗାଡ଼ି କିଣିବାବେଳେ ଲୋକେ ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି । ଏହା ବଜାରରେ ବିଳାସ ଗାଡ଼ିର ଚାହିବା ବଢ଼ାଉଥିବା ଶିଳ୍ପ ବିଶେଷଜ୍ଞ କହିଛନ୍ତି ।