ଭୁବନେଶ୍ୱର,୨୫/୦୨: ଓଡ଼ିଶାର  ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା  ନେତୃତ୍ୱାଧୀନ ଉଦ୍ୟୋଗର ଅଭୂତପୂର୍ବ  ପ୍ରଦର୍ଶନ ଭୁବନେଶ୍ୱରର ଜନତା ମଇଦାନରେ  ଚାଲିଥିବା ସୁଭଦ୍ରା ଶକ୍ତି ମେଳା-୨୦୨୫ର  ଦର୍ଶକଙ୍କୁ ମୁଗ୍‌ଧ କରିଛି । ମେଳାର  ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର  ସମ୍ଭାର-‘ସୁଭଦ୍ରା ଶକ୍ତି ମେଳା ଫୁଡ୍‌ କୋର୍ଟ'  ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ଭାବେ ଉଭା ହୋଇଛି । ମାଛ ଆମ୍ବିଳ ଖାଇବାକୁ ଷ୍ଟଲରେ ଲାଗୁଛି ଭିଡ଼। ମୁଢି ମାଂସରେ ମହକୁଛି ରାଜଧାନୀ।

ରୋଜଗାର ଦେଉଛି ମାଛ ଆମ୍ବିଳ

ଖାଇବା ଷ୍ଟଲରେ ମିଳୁଛି ମାଛ ଆମ୍ବିଳ ଯାହାକୁ ଖାଇବାକୁ ଲାଗୁଛି  ଭିଡ଼ । ଦୁଇ ବନ୍ଧୁ ଏହି ଷ୍ଟଲ୍‌ ପକାଇଛନ୍ତି । ଏହି ମାଛ ଆମ୍ବିଳ  କୋଭିଡ ମହାମାରୀ ସମୟରୁ ଆରମ୍ଭ ହୋଇଥିଲା । ଦିଲ୍ଲୀପ କୁମାର  ପରିଡ଼ାଙ୍କ ସହଯୋଗରେ ପଲ୍ଲବିକା ତ୍ରିପାଠୀ ଏକ ସ୍ୱୟଂ ସହାୟିକା  ଗୋଷ୍ଠୀ କରିଥିଲେ । ସେମାନଙ୍କ ଲକ୍ଷ୍ୟ ଥିଲା ମାଛ ଆମ୍ବିଳ ତିଆରି  କରି ବିକ୍ରି କରିବା । ଖଟା ଆମ୍ବିଳ ପରି ମାଛ ଆମ୍ବିଳ କରିବାକୁ  ପାଞ୍ଚରୁ ଛଅ ଘଣ୍ଟା ଲାଗେ । ମାଛରୁ କଣ୍ଟା କଢ଼ାଯାଇ ଅଦା, ରସୁଣ  ପେଷ୍ଟ, ପିଆଜ ପେଷ୍ଟ ଏବଂ କିଛି ମସଲା ମିଶାଯାଇ ପ୍ରସ୍ତୁତ  କରାଯାଏ । ପରେ ଏହାକୁ ବିରି ବରା ସହ ପରସା ଯାଇଥାଏ ।

ମୁଢ଼ି ମାଂସର ଆଦର


ସୁଭଦ୍ରା ଶକ୍ତି ମେଳାରେ ମୟୂରଭଞ୍ଜ ମୁଢ଼ି ମାଂସର  ଆଦର ଦେଖିବାକୁ ମିଳିଛି । ରାସଗୋବିନ୍ଦପୁର  ବ୍ଲକର କଳ୍ପନା କବି ଓ ତାଙ୍କ ସହଯୋଗୀମାନେ  ମେଳାରେ ଲୋକଙ୍କୁ ପରସି ଦେଉଛନ୍ତି ମୁଢ଼ି  ମାଂସ । ୨୦୦୦ ମସିହାରେ ୨୪ ଜଣ ଏକ  ଏସ୍‌ଏଚ୍‌ଜି ଗ୍ରୁପ କରି ମୁଢ଼ି ବିକ୍ରି କରିବା ଆରମ୍ଭ  କରିଥିଲେ । ଧୀରେ ଧୀରେ ମୁଢିମାଂସର ଚାହିଦା  ବଢ଼ିବା ସହ ମହିଳାମାନେ ରୋଜଗାରକ୍ଷମ  ହେଲେ । ଏହି ଗ୍ରୁପ ଷ୍ଟଲରେ ଚାଉଳ ଚୁନା,  ତେନ୍ତୁଳି, ଚୁଡା ଭଜା, ହଦିବରା, ଚିକେନ୍‌  ତରକାରୀ, ମୁଢ଼ି ଇତ୍ୟାଦି ବିକ୍ରି ହେଉଛି ।  ମେଳାର ପ୍ରଥମ ଦିନରେ ଏହି ଷ୍ଟଲ୍‌ରେ ୩୮୦୦  ଟଙ୍କାର ଓ ଦ୍ୱିତୀୟ ଦିନରେ ୫୫,୦୦୦ ଟଙ୍କାର  ବିକ୍ରି ହୋଇଛି ।