ନୂଆଦିଲ୍ଲୀ,୧୫/୦୫: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭିଏତନାମରେ ତାଙ୍କ ପତ୍ନୀ ବ୍ରିଗିଟ ମାକ୍ରନ ଇରାନୀ ଅଭିନେତ୍ରୀଙ୍କ ପାଇଁ ଚାପୁଡ଼ା ମାରିଥିଲେ । ନ୍ୟୁୟର୍କ ପୋଷ୍ଟ ଅନୁସାରେ, ଫ୍ରାନ୍ସ ସାମ୍ବାଦିକ ଫ୍ଲୋରିୟନ ତାରଦିଫ ନିଜର ନୂଆ ପୁସ୍ତକ ‘ଆନ୍ (ଅଲ୍ମୋଷ୍ଟ) ପର୍ଫେକ୍ଟ କପଲ’ରେ ଏହି ଦାବି କରିଛନ୍ତି । ଗତ ବୁଧବାର ଏହି ପୁସ୍ତକ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଇରାନୀ ଅଭିନେତ୍ରୀ ଗୋଲଶିଫ୍ତେ ଫରାହାନୀ ଓ ରାଷ୍ଟ୍ରପତି ମାକ୍ରନଙ୍କ ମଧ୍ୟରେ ତଥାକଥିତ ଚାଟିଂ ଯୋଗୁ ବିବାଦ ଉପୁଜିଥିଲା ।
ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ମାକ୍ରନ ଅଭିନେତ୍ରୀଙ୍କୁ ମେସେଜ୍ ପଠାଉଥିଲେ । ଗୋଟିଏ ମେସେଜ୍ରେ ସେ ଲେଖିଥିଲେ ‘ମୋତେ ତୁମେ ଖୁବ୍ ସୁନ୍ଦର ଲାଗ ।’ ଫ୍ରାନ୍ସ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାକ୍ରନ ଓ ଫରାହାନୀଙ୍କ ମଧ୍ୟରେ ଅନେକ ମାସ ଧରି ‘ପ୍ଲାଟୋନିକ୍ ରିଲେସନ୍ସିପ’ (ବନ୍ଧୁତାପୂର୍ଣ୍ଣ ସମ୍ପର୍କ) ରହିଥିଲା । ତେବେ ଏହି ସମ୍ପର୍କ କେବଳ ଭାବନାତ୍ମକ ଓ ବ୍ୟକ୍ତିଗତ ବାର୍ତ୍ତାଳାପ ମଧ୍ୟରେ ସୀମିତ ଥିଲା । ମାକ୍ରନ ଗତ ବର୍ଷ ମେ’ ୨୫ରେ ଭିଏତନାମ ଗସ୍ତରେ ଯାଇଥିଲେ । ଏହି ସମୟରେ ହନୋଇର ନୋଇ ବାଈ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ପତ୍ନୀ ତାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା ।
ତେବେ ବ୍ରିଗିଟଙ୍କ ଟିମ୍ ଏ ସମସ୍ତ ଦାବିକୁ ଭୁଲ ବୋଲି କହିଛି । ତାଙ୍କ ପ୍ରତିନିଧିମାନେ କହିଛନ୍ତି, ବ୍ରିଗିଟ କଦାପି ତାଙ୍କ ସ୍ୱାମୀଙ୍କ ମୋବାଇଲ ଫୋନ୍ ଦେଖନ୍ତି ନାହିଁ ଏବଂ ପୁସ୍ତକରେ ଲିଖିତ କଥା ସତ ନୁହେଁ । ଅନ୍ୟପକ୍ଷେ, ଅଭିନେତ୍ରୀ ଫରାହାନୀ ମଧ୍ୟ ମାକ୍ରନଙ୍କ ସହ କୌଣସି ପ୍ରକାର ସମ୍ପର୍କ ଖବରକୁ ଆରମ୍ଭରୁ ଖାରଜ କରିଥିଲେ । ଗତ ମାର୍ଚ୍ଚରେ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ କିଛି ଲୋକ ପ୍ରେମର ଅଭାବ ଯୋଗୁ ଏଭଳି କାହାଣୀ ଗଢ଼ନ୍ତି । ପୁସ୍ତକ ଅନୁସାରେ, ଗତ ବର୍ଷ ମାକ୍ରନ ଭିଏତନାମର ରାଜଧାନୀ ହନୋଇ ପହଞ୍ଚିଥିଲେ ।
ଆହୁରି ପଢନ୍ତୁ-ଟ୍ରମ୍ପଙ୍କ ନ୍ୟୁଜ୍ କଭରେଜ କରିବାକୁ ଯାଇ ଚୀନରେ ତଣ୍ଡ ଗଣିଲା Fox news, ଭୁଲ୍ ଥିଲା ମାତ୍ର ୨ ମିନିଟ୍ ବିଳମ୍ବ...
ବିମାନରୁ ଓହ୍ଲାଇବାର କିଛି ସମୟ ପୂର୍ବରୁ ମାକ୍ରନଙ୍କ ଫୋନ୍ରେ ବ୍ରିଗିଟ ଅଭିନେତ୍ରୀ ଫରାହାନୀଙ୍କ ମେସେଜ୍ ଦେଖିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଲା । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ବ୍ରିଗିଟ ମାକ୍ରନଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଲା । ଏ ମାମଲାରେ ସଫେଇ ଦେଇ ମାକ୍ରନଙ୍କ ଟିମ୍ ଏହାକୁ ଥଟ୍ଟାମଜାର ଏକ ମୁହୂର୍ତ୍ତ ବୋଲି କହିଥିଲା ।