ଜବଲପୁର; ୧୮/୧ : କାମ କରି ଟଙ୍କା ନେଲେ ଚଳୁଛି ଘର । ପରିବାର ଲୋକେ ଚାହିଁ ବସିଥିଲେ ରୋଜଗାର କରି ଟଙ୍କା ନେଲେ ଭଲରେ ଚଳିବେ । ପୁଅ ଚାହିଁ ବସିଥିଲା ମୋ ମାଆ ଘରକୁ ଆସିବାବେଳେ ମୋ ପାଇଁ କଣ ଭଲ ଖାଇବା ନେଇ ଆସିବ। ହେଲେ ରାସ୍ତା ଉପରେ ଛକି ବସିଥିଲା ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ହଠାତ ମୃତ୍ୟୁ ମାଡ଼ି ଆସିଥିଲା । ନିମିଷକ ମଧ୍ୟରେ ସବୁ କିଛି ସରି ଯାଇ ରାସ୍ତା ଉପରେ ବସି ଖାଦ୍ୟ ଖାଉଥିବାବେଳେ ୨୦ ଜଣ ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା କାର । ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରୁ ଆସିଛି ଏଭଳି ଛାତିଥରା ଦୁର୍ଘଟଣା ଖବର । ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ତଦନ୍ତ ଜାରି ରଖିଛି ।

ଜବଲପୁର ବରେଲା ହାଇଓ୍ବେରେ ୨୦ ଜଣ ଶ୍ରମିକ କାମ ସାରି ରାସ୍ତା ପାଖରେ ଖାଦ୍ୟ ଖାଉଥିଲେ । ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । କାରଟି ଏତେ ସ୍ପିଡରେ ମାଡ଼ି ଯାଇଥିଲା କି, ଘଟଣାସ୍ଥଳରେ ହିଁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଶ୍ରମିକ ରହିଛନ୍ତି । ତେବେ ଏହି ଶ୍ରମିକମାନେ ଡିଭାଇଡର ସଫା ଏବଂ ରଙ୍ଗ କାମ କରୁଥିଲେ । ଖାଇବା ସମୟରେ ଏମିତି ମୃତ୍ୟୁ ଆସିବ ତାହା କେହି କେବେ ମଧ୍ୟ କଳ୍ପନା କରିନଥିଲେ ।

ସେପଟେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିବାବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ୧୩ରୁ ଅଧିକ ଶ୍ରମିକ ଆହତ ହୋଇଥିବାବେଳେ ୫ ଜଣଙ୍କ ଗୁରୁତର ଅଛନ୍ତି । ସିସିଟିଭି ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ କାରକୁ ଜବତ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ବାକି ଆହତଙ୍କୁ ଉଚିତ୍ ଚିକିତ୍ସା ପ୍ରଦାନ କରାଯିବା ନେଇ ଦାବି ଜୋର ଧରିଛି ।