କୋଣାର୍କ,୨୧।୧ : ଆସନ୍ତା ୨୪ଓ୨୫ ରେ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼। ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀରୁ ଜଳ ନିଷ୍କାସନ ଓ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇଛି। ପରେ କୋଣାର୍କ ଏନ୍ଏସି ପକ୍ଷରୁ ବ୍ଲିଚିଙ୍ଗ ଓ ଚୂନ ପକାଇ ତୀର୍ଥ ପୁଷ୍କରିଣୀ ଜଳ ବିଶୋଧନ କରାଯାଉଛି।
ମେଳାପଡିଆ ସଫେଇ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ବ୍ୟାରିକେଡ଼ ନିର୍ମାଣ, ମେଳାପଡିଆ ଓ ବେଳାଭୂମିରେ ୨ଟି ଓ୍ବାଚ ଟାଓ୍ବାର ନିର୍ମାଣ, ହାଣ୍ଡିଭଙ୍ଗା ପୁଷ୍କରିଣୀ ସଫେଇ କାର୍ଯ୍ୟ ଚାଲିଛି। ସପ୍ତମୀ ବୁଡ଼ ୨ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇ ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ ରହିବ। ପ୍ରତିବର୍ଷ ଭଳି ଏଥର କମ ଜଳ ଥିବାରୁ ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ଏହି ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟ ଦର୍ଶନ ଓ ଦାନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ବାସ ରହିଛି।