ପୁରୀ, ୨୭/୦୨: ଶିବ ପଞ୍ଚାକ୍ଷର  ମନ୍ତ୍ରରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲୋକନାଥ  ପୀଠ । ଘଣ୍ଟ ହୁଳହୁଳିରେ ଓ ହରହର ମହାଦେବ  ଧ୍ୱନିରେ ଉଛୁଳି ପଡ଼ିଥିଲା ଜାଗରପଦା । ସନ୍ଧ୍ୟା ହେବା କ୍ଷଣି ଦୀପ ଲଗାଇ ମହାଦେବଙ୍କ  ଆରାଧନାରେ ଜାଗରପଡ଼ିଆ ହୋଇଉଠିଥିଲା  ଚଳଚଞ୍ଚଳ । ଶିବମୟ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଶ୍ରୀ ଲୋକନାଥଙ୍କ ପୀଠରେ ଭୋର୍‌ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି  ରହିଥିଲା । ଲକ୍ଷାଧିକ ଭକ୍ତ ଶ୍ରୀ ଲୋକନାଙ୍କ ଦର୍ଶନ  କରିଥିଲେ । ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ । ଶ୍ରୀକ୍ଷେତ୍ରରେ ଅଧିକାଂଶ ମନ୍ଦିରରେ ମଧ୍ୟ ରାତ୍ର ସୁଦ୍ଧା ମହାଦୀପ ଉଠିଥିଲା । କିନ୍ତୁ  ଶ୍ରୀଲୋକନାଥ ମନ୍ଦିରରେ ରାତିର ଶେଷ ଅର୍ଥାତ୍‌  ଭୋର୍‌ ୫ଟା ୫୭ରେ ମହାଦୀପ ଦର୍ଶନ କରିଥିଲେ  ହଜାର ହଜାର ଶ୍ରଦ୍ଧାଳୁ । ପବିତ୍ର ଜାଗରରେ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସହରର  ବିଭିନ୍ନ ଶୈବ ପୀଠରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼  ଜମିଥିଲା । ଦିନତମାମ ଗହଳି ଲାଗି ରହିଥିଲା ।  ସନ୍ଧ୍ୟାରୁ ସମସ୍ତ ଶୈବପୀଠରେ ଦୀପ ଜାଳି  ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ ।  

ମହାଶିବରାତ୍ରି ପାଇଁ ପ୍ରଶାସନ ଏବଂ  ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୀତି  ନିର୍ଘଣ୍ଟ ଅନୁଯାୟୀ, ରାତ୍ର ୧୨ଟା ୩୦ ମନ୍ଦିର  ଦ୍ୱାର ଫିଟିଥିଲା । ମଙ୍ଗଳଆଳତି, ଅବକାଶ,  ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ,  ସକାଳଧୂପ ଓ ମଧ୍ୟାହ୍ନ ଧୂପ ସରିବା ପରେ ବୁଧବାର ଭୋର ୪ଟାରୁ ସର୍ବସାଧାରଣ  ଦର୍ଶନ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତ୍ରରୁ  ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ବ୍ୟାରିକେଡରେ  ଅପେକ୍ଷା କରିଥିଲେ । ସେହିଭଳି ଦିନ ଯେତିକି  ମାତ୍ରାରେ ବଢୁଥାଏ, ସେହି ମାତ୍ରାରେ ଶ୍ରଦ୍ଧାଳୁଙ୍କ  ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିଲା । ଏପରିକି ଧାଡି ମଧ୍ୟ ଲମ୍ବିବାର ଲାଗିଥିଲା । ଟାଣ ଖରାରୁ ରକ୍ଷା  ନିମନ୍ତେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଉପରେ କପଡାରେ  ଛାଇ କରାଯାଇଥିଲା । ପ୍ରଶାସନ ପକ୍ଷରୁ ପରିମାଣିକ ଦର୍ଶନ ଲାଗି ସ୍ୱତନ୍ତ୍ର ଟିକଟ ବ୍ୟବସ୍ଥା  କରାଯାଇଥିଲା । ୫ରୁ୬ହଜାର ଶ୍ରଦ୍ଧାଳୁଙ୍କ ଟିକଟ  ବ୍ୟବସ୍ଥା ହୋଇଥିଲା । ପ୍ରତି ଟିକଟର ମୂଲ୍ୟ  ୧୦୦ଟଙ୍କା ରହିଥିଲା । ପରିମାଣିକ ଶ୍ରଦ୍ଧାଳୁଙ୍କ  ନିମନ୍ତେ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଥିଲା ।  

ମାନସିକଧାରୀମାନେ ଶ୍ରୀଲୋକନାଥଙ୍କ  ନିକଟରେ ରୂପାଲାଗି କରିବା ସହିତ ଚୁଡ଼ାଘଷା  ଭୋଗ କରିଥିଲେ । ସେହିପରି କିଆ,  କେତକୀ, ନାଗେଶ୍ୱର ଓ ପଳାଶ ଫୁଲ ଲାଗି  କରାଇଥିଲେ । ମାନସିକଧାରୀମାନେ ନିଷ୍ଠାର  ସହ ଜାଗର ଜାଳିଥିଲେ । ରାତିର ଶେଷ  ପ୍ରହରରେ ମହାଦୀପ ଦର୍ଶନ କରି ମହାଦେବଙ୍କ  ପ୍ରସାଦ ପାଇ ଉପବାସ ଭାଙ୍ଗିଥିଲେ ।  

ଜାଗର ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ  ସୃଷ୍ଟି ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ  ବରିଷ୍ଠ ଅଧିକାରୀଙ୍କ ସହ ୧୧ପ୍ଲାଟୁନ୍‌ ଫୋର୍ସ  ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଭିଡ  ମଧ୍ୟରେ ଲୁଟେରାମାନଙ୍କୁ ଠାବ କରିବା ଲାଗି  ସାଦା ପୋଷାକଧାରୀ ପୁଲିସଙ୍କୁ ମୁତୟନ  କରାଯାଇଥିବା ନେଇ ଏସପି ବିନୀତ ଅଗ୍ରୱାଲ  ସୂଚନା ଦେଇଛନ୍ତି । ସେହିପରି ୫ଜଣ ମାଜିଷ୍ଟେଟ  ଉପସ୍ଥିତ ରହି ମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି  ଅନ୍ୟାନ୍ୟ ଘଟଣା ଉପରେ ନଜର ରଖିଥିଲେ।