ନୂଆଦିଲ୍ଲୀ ୧୫/୧୦: ମନୋରଞ୍ଜନ ଜଗତରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ବି.ଆର. ଚୋପ୍ରାଙ୍କ "ମହାଭାରତ"ରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ବରିଷ୍ଠ ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଛି। ଅଭିନେତାଙ୍କ ହଠାତ୍ ବିୟୋଗରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି।
ମହାଭାରତରେ କର୍ଣ୍ଣ ଭାବରେ ସମସ୍ତଙ୍କ ହୃଦୟରେ ରାଜ କରିଥିବା ପଙ୍କଜ ଧୀର ଆଉ ଆମ ଗହଣରେ ନାହାନ୍ତି। ସେ ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଙ୍କଜ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ। ଦୀର୍ଘ ଦିନ ଧରି କର୍କଟ ରୋଗ ସହିତ ଲଢ଼ୁଥିଲେ, କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ।
ପଙ୍କଜ ଧୀର ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ଏବଂ ଦମଦାର କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ, କିନ୍ତୁ ୧୯୮୮ ମସିହାର ଐତିହାସିକ ନାଟକ 'ମହାଭାରତ'ରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ଅମର କରିଥିଲା। ତାଙ୍କ ଭୂମିକା ଏତେ ଲୋକପ୍ରିୟତା ହାସଲ କରିଥିଲା ଯେ ଦେଶର ଅନେକ ସ୍ଥାନରେ ତାଙ୍କର ପ୍ରତିମୂର୍ତ୍ତି ପୂଜା କରାଯାଉଥିଲା। ସେ "ସଡକ", "ସୈନିକ" ଏବଂ "ବାଦଶାହ" ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜନରେ ସକ୍ରିୟ ରହିଥିଲେ।
ତେବେ ରିପୋର୍ଟ ଅନୁଯାୟୀ, ପଙ୍କଜଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନହଂସ ଶ୍ମଶାନରେ କରାଯିବ। ଯେଉଁଠାରେ ତାଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ସହିତ ଅନେକ ପ୍ରମୁଖ ଚଳଚ୍ଚିତ୍ର ତାରକା ମଧ୍ୟ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ପଙ୍କଜ ଧୀରଙ୍କ ପରଲୋକ ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ ଘଟାଇଛି।