ଭୁବନେଶ୍ୱର,୧୩/୦୧: ସମ୍ପୂର୍ଣ୍ଣ ଅନିଶ୍ଚିତତାରେ ମହାପ୍ରଭୁ ଶୀଲିଙ୍ଗରାଜଙ୍କ ମକର ପ୍ରାକ୍ ସନ୍ଧ୍ୟାର ନବାଙ୍କ ବେଢ଼ା ନୀତି । ଏ ନେଇ ହାଇକୋର୍ଟ ଶୁଣାଣି କରିଛନ୍ତି । ଉକ୍ତ ଶୁଣାଣିରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନବାଙ୍କ ବେଢ଼ା ନୀତି ସ୍ଥଗିତ ରଖିବାକୁ ଦର୍ଶାଯାଇଛି । ଫଳରେ ମଙ୍ଗଳବାର ସନ୍ଧ୍ୟା ଧୂପଠାରୁ(ନବାଙ୍କ ବେଢ଼ା) ଓ ପରବର୍ତ୍ତୀ ଦିନ ଅର୍ଥାତ ବୁଧବାର ମକରରେ ଘୃତ କମଳ ଲାଗି ହେବା ଆଦି ନୀତି ବନ୍ଦ ରହିବାର ପୁରା ସମ୍ଭାବନା ରହିଛି ।
୨୦୨୫ରେ ଏକାମ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା ନୀତିର ଖୀର ଆଉଟା ପାଇଁ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ୨୪ ଡିସେମ୍ବର ୨୦୨୫ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ ମକର ପୂର୍ବ ସନ୍ଧ୍ୟାରେ ଖୀର ଆଉଟାଇବା ପାଇଁ ପରବଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ । ଘଣ୍ଟ ଏବଂ ମେଘ ଡମ୍ବରୁ ଶୋଭାଯାତ୍ରାରେ ବଡୁ ନିଯୋଗର ସାମନ୍ତରା ଘରୁ ଖୀର ଏବଂ ହାଣ୍ଡି ଅଣା ଯିବ ବୋଲି କୁହାଯାଇଥିଲା । ଏଥିସହ ବ୍ରାହ୍ମଣ ନିଯୋଗର ପୁଷ୍ପାଳକ ସେବାୟତ ଖିର ଆଉଟାଇ ଘୃତ କମଳ ପ୍ରସ୍ତୁତ କରିବେ । ପର ଦିନ ଅର୍ଥାତ ମକରରେ ବଡୁ ସେବାୟତମାନେ ଶ୍ରୀଜିଉଙ୍କୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ (କ୍ରନଂ୪୧୦/୨୦୨୬) ଦାଖଲ କରିଥିଲେ । ଏଥିରେ ଜିଲ୍ଲାପାଳ ଖୋର୍ଦ୍ଧା, ସମ୍ପାଦକ ବ୍ରାହ୍ମଣ ନିଯୋଗ ଏବଂ ସହକାରୀ ଦେବୋତ୍ତର କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଷ୍ଟିସ କେ ଆର ମହାପାତ୍ର ଏବଂ ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱାରା ମାମଲା ଶୁଣାଣି କରାଯାଇଥିଲା ।
ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁଯାୟୀ, ହିନ୍ଦୁ ଦେବୋତ୍ତର ଆଇନର ଧାରା ୪୧ରେ ଦେବ ନୀତି ବିବାଦ ପାଇଁ କେବଳ ସହକାରୀ ଦେବୋତ୍ତର କମିସନର ହସ୍ତକ୍ଷେପ କରି ପାରିବେ ବୋଲି ସ୍ପଷ୍ଟ ରହିଛି । ତେଣୁ ଜିଲ୍ଲାପାଳ ଏ ନେଇ ନିଷ୍ପତ୍ତି ନେଇ ପାରିବେ ନାହିଁ । ଆସନ୍ତା ଫେବ୍ରୁଆରୀ ୨୪ ତାରିଖ କିମ୍ବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ନୀତି ସ୍ଥଗିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚନ୍ୟାୟାଳୟଙ୍କ ଏହି ଶୁଣାଣିର ସ୍ୱିକୃତୀପ୍ରାପ୍ତ ନକଲ ମଙ୍ଗଳବାର ବଡୁ ନିଯୋଗ ତରଫରୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରେ ଦାଖଲ କରାଯିବ । ଯଦି ମନ୍ଦିର ପ୍ରଶାସନ ଏହି ଅଦାଲତି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ ତା’ହେଲେ ପ୍ରାୟ ଦେଢଦିନ ଦିଅଁଙ୍କ ନୀତି ବିଭ୍ରାଟ ହେବାର ସମ୍ଭାବନା ରହିଛି । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ମନ୍ଦିର ପ୍ରଶାସନ କି ନିଷ୍ପତ୍ତି ନେବ ତା’ଉପରେ ସମସ୍ତଙ୍କ ନଜର ରହିଛି ।