ବାରିପଦା, ୨୫/୦୪: ମହାରାଣୀ ତଖତକୁମାରୀଙ୍କ ଦ୍ୱାରା ଏମପିସି ଉଦ୍ଦେଶ୍ୟରେ ଦିଆ ଯାଇଥିବା ଗିଫ୍ଟଡିଡ୍‌ ଜମି ଉପରେ ଏବେ ବି ବେସରକାରୀ କବ୍ଚା ବଳବତ୍ତର ରହିଛି । ଜମି ମାଫିଆମାନେ ବେଆଇନ୍‌ ଭାବେ ମାଡି ବସି ଅନେକ ଜମି ବିକ୍ରି କରିବା ପରେ ସେଠାରେ ଘରଦ୍ୱାର ସବୁ ହୋଇ ଯାଇଥିବା ବେଳେ ଏବେ ପ୍ଲଟିଂ କରି ବିକ୍ରି କରାଯିବା ଭଳି ଉଦ୍ୟମ ଜାରି ରହିଛି । ଏହି ପ୍ରସଙ୍ଗରେ ଏମ୍‌ପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ବାରିପଦା ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ସବିଶେଷ ତଥ୍ୟ ପ୍ରମାଣ ସହ ତହସିଲଦାରଙ୍କୁ ଅବଗତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ରାଣୀବନ୍ଧ ନିକଟରେ ଥିବା କେତେକ ଜମି ଏବେ ବିକ୍ରିପାଇଁ ପ୍ଲଟିଂ ହେଉଥିବାରୁ ଆରପି କେଶ ନଂ ୩୦୩/୨୦୧୭ ଅନୁଯାୟୀ ଏହି ଜମିକୁ ତୁରନ୍ତ ଏମପିସି ନାମରେ ପଟ୍ଟା କରିବାକୁ ଆବେଦନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ୧୯୪୮ ମସିହା ଜୁନ୍‌ ୧୮ ତାରିଖରେ ଏମପିସି କଲେଜ ନିର୍ମାଣ ପାଇଁ ମହାରାଣୀ ତଖତକୁମାରୀ ୨୬୮. ୫୩ ଏକର ଜମି ଦାନ କରିଥିଲେ ସୁଦ୍ଧା ୨୦୨୩ ଅକ୍ଟୋବର ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ଦାନ ଜମିରୁ ମାତ୍ର ୧ ଇଞ୍ଚ ମଧ୍ୟ କଲେଜ ନାମରେ ରେକର୍ଡ ଭୁକ୍ତ ହୋଇ ନ ଥିଲା । ଲଗାତାର ଖବର ପ୍ରସାରଣ ପରେ ୨୦୨୩ ମସିହା ଅକ୍ଟୋବର ୨୦ ତାରିଖରେ ପ୍ରଥମ ଥର ପାଇଁ କଲେଜକୁ ୫୩.୫୯୫ ଏକର ଜମିର ଦୁଇଟି ପଟ୍ଟା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ହେମଚନ୍ଦ୍ରପୁର ମୌଜାର ୩୩.୯୧ ଏକର ଏବଂ ମହାରାଜପୁର ମୌଜାର ୧୯.୬୮ ଏକର ଅନ୍ତର୍ଭୁକ୍ତ  । ଅନ୍ୟ ଜମି ଖୁବ୍‌ ଶୀଘ୍ର ଏମପିସି ନାମରେ ରେକର୍ଡ ହେବ ବୋଲି କୁହାଯାଇଥିଲେ ମଧ୍ୟ ସେତିକିରେ ସୀମିତ ଥିଲା । ତେବେ ସରକାର ବଦଳିବା ପରେ ଏମପିସିର ଜମି ପ୍ରସଙ୍ଗ ପୁଣି ଉଜାଗର ହେବାରୁ ଦ୍ୱିତୀୟ ଦଫାରେ ମାତ୍ର ୬. ୬୨ ଏକର ଜମିର ପଟ୍ଟା ଏବଂ ତୃତୀୟ ଦଫାରେ ୧୦.୩୩ ଏକରରେ ପରିବ୍ୟାପ୍ତ ରାଣୀବନ୍ଧକୁ କଲେଜ ନାମରେ ପଟ୍ଟା ହୋଇଛି ।

ଦୀର୍ଘ ୭୭ ବର୍ଷ ପରେ ତିନୋଟି ଦଫାରେ ବର୍ତ୍ତମାନ ସୁଦ୍ଧା କଲେଜ ଖାତାକୁ ମାତ୍ର ୭୦.୫୪ ଏକର ଜମି ଆସଥିଲେ ସୁଦ୍ଧା ଆହୁରି ଅନେକ ଜମି କଲେଜ ଖାତାକୁ ଆସିବାକୁ ବାକି ଅଛି । ତେଣୁ ଗତ ୨୦୨୨ ମସିହା ଜାନୁଆରୀ ୧୧ତାରିଖରେ ମାନ୍ୟବର ଆରଡିସି ଦେଇଥିବା ଅର୍ଡରକୁ କାର୍ଯ୍ୟକାରୀ କରିବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ତ୍ତମାନ ଦାବି କରିଛନ୍ତି । ଆରଡିସି ତାଙ୍କ ଅର୍ଡରରେ ଉଭୟ ଖାଲିପଡିଥିବା ଜମି ଓ ବେଆଇନ୍‌ ଭାବେ କବଜାକୁ ହଠାଇ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ନାମରେ ପଟ୍ଟା କରିବାକୁ ସ୍ପଷ୍ଟ ଉଲ୍ଲେଖ କରିଥିବାରୁ ଆରଡିସିଙ୍କ ଅର୍ଡରକୁ କାର୍ଯ୍ୟକାରୀ କରିବାକୁ କଲେଜ କର୍ତ୍ତୃପକ୍ଷ ବାରିପଦା ତହସିଲଦାରଙ୍କ ଠାରେ ଆବେଦନ କରିଥିବା ସୂଚନା ମିଳିଛ ।

​​​​​​​ଅଧିକ ପଢନ୍ତୁ- ଅନୁଗୁଳରେ ପୁଲିସ ଜୁଲୁମ୍ ନେଲା ଦୁଇ ନିରୀହ ଜୀବନ: ପ୍ରଥମେ ପ୍ରେମିକ ଓ ପରେ ସଖୀ ସେଣ୍ଟରରେ ନାବାଳିକାଙ୍କ ଆତ୍ମହତ୍ୟା !