ଅନୁଗୁଳ, ୨୫।୪: ଅନୁଗୁଳ ସଦର ପୁଲିସର ଜୁଲୁମ୍ ଯୋଗୁଁ ଅକାଳରେ ଚାଲିଗଲା ଦୁଇ ଦୁଇଟି ନିରୀହ ଜୀବନ । ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଯୁବକର ବାପା ମା’ଙ୍କୁ ଦୁଇ ତିନିଦିନ ଧରି ଥାନାରେ ଅଟକ ରଖି ପୁଲିସର ଜୁଲୁମ୍ ଓ ନିର୍ଯ୍ୟାତନା ଅସହ୍ୟ କରିଥିଲା । ଫଳରେ ନିଜ ବାପା ମା’ ଏପରି ଅବସ୍ଥା ସହ୍ୟ କରି ନପାରି ଫେରାର ଥିବା ପ୍ରେମୀ ଯୁଗଳ ଘରକୁ ଫେରିବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଥିଲା । ବିରହ ଦୁଃଖରେ ରହି ଶେଷରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳିକା ଜଣକ ଅନୁଗୁଳ ସଖୀ ସେଣ୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନାବାଳିକାଙ୍କୁ ଉଦ୍ଧାର ପରେ ପୁଲିସ ଏହି ସଖୀ ସେଣ୍ଟରରେ ଥଇଥାନ କରିଥିଲା । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଓ ପୁଲିସ ଫରେନସିକ୍ ଟିମ୍ ଦ୍ବାରା ତଦନ୍ତ ପାଇଁ ପୁଲିସ ସଖୀ ସେଣ୍ଟରରେ ପହଞ୍ଚିଚି ।
ଏହା ବି ପଢ଼ନ୍ତୁ... Massive Fire Breaks: ହୁତୁହୁତୁ ହେଇ ଜଳୁଛି ନଳବଣ, ନିଆଁ ଲିଭା କାର୍ଯ୍ୟରେ ୧୪ ଟିମ୍ ନିୟୋଜିତ
ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ସମାକୋଇ ଗ୍ରାମର ୧୪ ବର୍ଷୀୟା ନାବାଳିକା ସହିତ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗାଁର ୨୦ ବର୍ଷୀୟ ଯୁବକ ବେଣୁପାଣି ସାହୁଙ୍କର ଗତ ତିନି ବର୍ଷ ହେବ ପ୍ରେମ ସମ୍ପର୍କରେ ରହିଥିଲା । ତେବେ ଗତ ୧ ତାରିଖରେ ନାବଳିକାକୁ ନେଇ ଯୁବକ ଜଣଙ୍କ ଫେରାର ହୋଇଯାଇ ବିବାହ କରିଥିଲେ । ନାବାଳିକା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ନପାଇ ଅନୁଗୁଳ ସଦର ପୁଲିସ ଗତ ୩/୪ଦିନ ହେଲା ଯୁବକର ବାପା ମା’ଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ଉଭୟଙ୍କୁ ଜୁଲୁମ୍ ଓ ନିର୍ଯ୍ୟାତନା ଦେଇଥିବା ଖବର ପାଇ ମାହାରାଷ୍ଟ୍ର ପୁଣେରେ ଲୁଚିଥିବାରୁ ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ନେଇ ବାଧ୍ୟ ହୋଇ ବୁଧବାର ରାତିରେ ଫେରିଥିଲା ।
ପୁଲିସର ଏପରି କାର୍ଯ୍ୟକଳାପରେ ଅଭିଯୁକ୍ତ ଯୁବକ ବେଣୁପାଣି ତାଙ୍କ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ବେଣୁ ପାଣିଙ୍କ ଏପରି ଆତ୍ମହତ୍ୟା ଓ ପୁଲିସର କାର୍ଯ୍ୟକଳାପ ନାବାଳିକାଙ୍କୁ ମର୍ମାହତ କରିଥିଲା । ଏପରିକି ତାଙ୍କୁ ଅନ୍ୟତ୍ର ବିବାହ ପାଇଁ ବାପା ମା’ ବାଧ୍ୟ କରୁଥିବା ସେ କହିଛନ୍ତି । ବେଣୁପାଣିଙ୍କୁ ଭଲପାଇ ବିବାହ କରିଥିବା କହି ନିଜ ଘରକୁ ଯିବେ ନାହିଁ ବୋଲି ନାବାଳିକା ଜଣକ କହିଥିଲେ । ଖବର ପାଇ ଢେଙ୍କାନାଳ ମୋଟଙ୍ଗା ପୁଲିସ ଯୁବକର ମୃତଦେହ ଉଦ୍ଧାର କରି ପୁଲିସ ଫରେନସିକ ଟିମ୍ ମାଧ୍ୟମରେ ଆତ୍ମହତ୍ୟାର ତଦନ୍ତ ଜାରି ରଖିଛି । ଏପରିସ୍ଥଳେ ଅନୁଗୁଳ ସଦର ପୁଲିସ ନାବାଳିକାକୁ ନିମିଧା ଗ୍ରାମରୁ ଉଦ୍ଧାର ପରେ ନେଇ ଉକ୍ତ ନବଳିକାକୁ ଅନୁଗୁଳ ସଖୀ ସେଣ୍ଟରରେ ରଖି ତଦନ୍ତ ଜାରି ରଖିଥିଲା ।