ମୁମ୍ୱାଇ, ୧୧।୩: କଳ୍ପନା କରନ୍ତୁ ଏମିତି ଏକ ଗାଁ, ଯେଉଁଠି ରାସ୍ତାଘାଟରେ କାହାର ମା' କିମ୍ବା ଭଉଣୀଙ୍କୁ ନେଇ ଅପଶବ୍ଦ କହିବା ତ ଦୂରର କଥା, କେହି ପାଟି ଖୋଲିବାକୁ ବି ଡରିବେ ! ଯଦି ଆପଣ ଭାବୁଛନ୍ତି ଏହା କୌଣସି ପୁରାଣ ବା କାହାଣୀ ବହିର କଥା, ତେବେ ଆପଣ ଭୁଲ୍ । ଏହି ଗାଁ ଆଜି ଦେଶ ପାଇଁ ଏମିତି ଏକ ମଡେଲ୍ ସାଜିଛି, ଯାହା ଶୁଣିଲେ ଆପଣ ବି କହିବେ "ବାଃ ! ଆମ ଓଡ଼ିଶାରେ ବି ଏମିତି ନିୟମ ହେବା ଦରକାର ।" ଏହା ହେଉଛି ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲା ଶ୍ରୀଗୋନ୍ଦା ତାଲୁକାର ‘କୋଲଗାଁ’ । ପ୍ରାୟ ୯ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଆଜି ସାରା ଦେଶ ପାଇଁ ଏକ ନୂଆ ଉଦାହରଣ ସାଜିଛି । ଏହି କାହାଣୀଟି ଆରମ୍ଭ ହେଉଛି ନାରୀ ଶକ୍ତିର ଏକ ଦୃଢ଼ ନିଷ୍ପତ୍ତିରୁ ।
ଏହା ବି ପଢ଼ନ୍ତୁ... LPG ପାଇଁ ସଙ୍କଟରେ ଭାରତ ? ବିଶେଷଜ୍ଞ କହିଲେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜର ବିକଳ୍ପ
ଆନ୍ତର୍ଜାତୀୟ ମହିଳା ଦିବସର ଅବସର ଥିଲା । ଗାଁର ବରିଷ୍ଠ ଅଙ୍ଗନୱାଡ଼ି କର୍ମୀ ଶକୁନ୍ତଳା ଦେଶମୁଖଙ୍କ ଅଧ୍ୟକ୍ଷତାରେ ଏକ ମହିଳା ଗ୍ରାମସଭା ଚାଲିଥାଏ । ସେଠାରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଉଥିଲା । ଠିକ୍ ସେତିକି ବେଳେ ଏକ କୃଷି ପରିବାରର ମହିଳା ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପୂଜା ଜଗତାପ ଏକ ଚମକାଇଲା ଭଳି ପ୍ରସ୍ତାବ ରଖିଲେ । ତାଙ୍କର କହିବା କଥା ଥିଲା "ଯଦି ଆମେ ସମ୍ମାନ ପାଇବାକୁ ଯୋଗ୍ୟ, ତେବେ ରାସ୍ତାଘାଟରେ ମା' ଭଉଣୀଙ୍କ ନାଁରେ ଦିଆଯାଉଥିବା ଅଶ୍ଳୀଳ ଗାଳିକୁ କାହିଁକି ସହିବୁ ?" ଏହି ପ୍ରସ୍ତାବ ଉପରେ ଗଭୀର ଆଲୋଚନା ହେଲା ଏବଂ ଶେଷରେ ସରପଞ୍ଚ ପୁରୁଷୋତ୍ତମ ଲଗଡ଼ଙ୍କ ସହମତିରେ ଏକ ଐତିହାସିକ ନିଷ୍ପତ୍ତି ନିଆଗଲା । ଯଦି ଗାଁରେ କେହି କାହାର ମା' କିମ୍ବା ଭଉଣୀଙ୍କୁ ନେଇ ଗାଳିଗୁଲଜ କରେ, ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆଉ ଏହି ନିୟମର ଯେପରି ଅପବ୍ୟବହାର ନହୁଏ, ସେଥିପାଇଁ ଗାଳି ଦେଉଥିବାର ଏକ ଭିଡିଓ କିମ୍ବା ଅଡିଓ ରେକର୍ଡିଂ ପ୍ରମାଣ ଭାବେ ଦେବାକୁ ପଡ଼ିବ । ଏହି ଜରିମାନା ଟଙ୍କା ଗ୍ରାମ ପଞ୍ଚାୟତ ପାଣ୍ଠିକୁ ଯିବ ଏବଂ ଗାଁର ଉନ୍ନତିମୂଳକ କାର୍ଯ୍ୟରେ ଲାଗିବ ।
କେବଳ ଗାଳି ନୁହେଁ, କୋଲଗାଁ ନିଜର ଶୃଙ୍ଖଳା ପାଇଁ ମଧ୍ୟ ଜଣାଶୁଣା । ଗ୍ରାମସଭାରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଯଦି କେହି ନିଜ ଘର ବା ଦୋକାନ ସାମ୍ନାରେ ଅଳିଆ ପକାନ୍ତି, ତେବେ ଫଟୋ ପ୍ରମାଣ ସହିତ ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ହେବ । ନୋ ମୋବାଇଲ୍, ନୋ ଟିଭି । ଗତ ବର୍ଷେ ହେବ ଏହି ଗାଁରେ ଏକ ଆଶ୍ଚର୍ଯ୍ୟଜନକ ନିୟମ ଲାଗୁ ହୋଇଛି । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗାଁର ସବୁ ପିଲା ଟିଭି ଓ ମୋବାଇଲ୍ ବନ୍ଦ କରି ପାଠ ପଢ଼ନ୍ତି । କେବଳ ପିଲା ନୁହେଁ, ସେମାନଙ୍କୁ ସାଥ୍ ଦେବା ପାଇଁ ବାପାମାଆ ମଧ୍ୟ ଏହି ସମୟରେ ମୋବାଇଲ୍ ବ୍ୟବହାର କରନ୍ତିନି । କୋଲଗାଁ ଆଜି ପ୍ରମାଣ କରିଦେଇଛି ଯେ, ଯଦି ଇଚ୍ଛାଶକ୍ତି ଥାଏ, ତେବେ ଏକ ଛୋଟ ଗାଁ ମଧ୍ୟ ସମାଜର ମାନସିକତା ବଦଳାଇପାରିବ । ମା' ଭଉଣୀଙ୍କୁ ସମ୍ମାନ ଦେବା କେବଳ ଭାଷଣରେ ନୁହେଁ, ବରଂ ନିୟମରେ ପରିଣତ କରି ଏହି ଗାଁ ସମସ୍ତଙ୍କ ପାଇଁ ଏକ ଆଦର୍ଶ ସାଜିଛି । "ଭାଷାରେ ମଧୁରତା ଓ ପରିବେଶରେ ସ୍ୱଚ୍ଛତା ହିଁ ପ୍ରକୃତ ପ୍ରଗତି ।"