ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ନିର୍ବାଚନ ତାରିଖ ପାଖେଇ ଆସୁଛି। ଏହା ସହ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। କିଛି ଏଭଳି ଘଟଣା ସୋମବାର ୟଭତମାଲା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଯେତେବେଳେ ନିର୍ବାଚନ ଅଧିକାରୀ ଶିବସେନାର ଉଦ୍ଧବ ଗୋଷ୍ଠୀର ମୁଖିଆ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ୍‌ର ଯାଞ୍ଚ ଆରମ୍ଭ କରିଦେଇଥିଲେ।

ଏହି ସମୟରେ ଉଦ୍ଧବ ସେହି ଅଧିକାରୀଙ୍କ ସହ ହଟ୍‌ ଟକ୍‌ ମଧ୍ୟ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଉଦ୍ଧବ ଠାକରେ ଅଧିକାରୀଙ୍କ ବ୍ୟାଗ୍‌କୁ ଚେକ୍ କରିବାକୁ ଦେଇଥିଲେ। କିନ୍ତୁ ଏହି ସମୟରେ ରାଗରେ ସେ ବହୁ ପ୍ରଶ୍ନ ମଧ୍ୟ କରିଥିଲେ। କେବଳ ସେତିକି ନୁହେଁ, ଉଦ୍ଧବ ଠାକରେ ନିଜେ ଏହି ଘଟଣାର ଭିଡିଓ ନିଜେ ରେକର୍ଡ କରିଥିଲେ ଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଉଦ୍ଧବ ନିର୍ବାଚନ କମିଶନ୍‌ ଅଧିକାରୀଙ୍କୁ କହିଛନ୍ତି, ସେମାନେ ଶାସକ ପକ୍ଷରୁ ନେତାଙ୍କ ଯାଞ୍ଚ କରି ଭିଡିଓ ସେୟାର କରନ୍ତୁ। ଉଦ୍ଧବ ଅଫିସରଙ୍କୁ କହିଛନ୍ତି, କ’ଣ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାଓ୍ବାରଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି ? କ’ଣ ସେମାନେ ମହାରାଷ୍ଟ୍ର ରାଲି ବେଳେ ପିଏମ୍‌ ମୋଦି ଓ ଅମିତ ଶାହଙ୍କ ବ୍ୟାଗ୍‌ର ତଲାସୀ ନେଇଛନ୍ତି ? କେବଳ ସେତିକି ନୁହେଁ ଉଦ୍ଧବ କହିଥିଲେ, ଏବେ ତୁମେ ମୋର ବ୍ୟାଗ୍‌ ଖୋଲୁଛି, ମୁଁ ତୁମକୁ ଖୋଲିବି। ’

ଉଲ୍ଲେଖନୀୟ ଯେ, ଉଦ୍ଧବ ଠାକରେ ସୋମବାର ନିର୍ବାଚନ ପ୍ରଚାର କରିବା ପାଇଁ ୟବତମାଲା ଜିଲ୍ଲାରେ  ପହଁଞ୍ଚିଥିଲେ। ସେଠାରେ ଭାନି ହେଲିପ୍ୟାଡ୍‌ରେ ଯେତେବେଳେ ଉଦ୍ଧବ ହେଲିକପ୍ଟରରୁ ଓହ୍ଲାଇଥିଲେ, ସେଠାରେ ଠିଆ ହୋଇଥିବା ନିର୍ବାଚନ କମିଶନ୍‌ର ଅଫିସର ଉଦ୍ଧବଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ। ଏହାପରେ ଅଫିସରମାନେ ଉଦ୍ଧବଙ୍କ ଯାଞ୍ଚ ପାଇଁ ତାଙ୍କର ବ୍ୟାଗ୍ ମାଗିଥିଲେ। ଏହି କଥାରେ ସେ ରାଗି ଯାଇଥିଲେ, ବ୍ୟାଗ୍ ତ ଦେଇଥିଲେ, କର୍ମଚାରୀଙ୍କୁ ପ୍ରଶ୍ନ ପଚାରି ଭିଡିଓ ରେକର୍ଡ କରିଥିଲେ।