ମୁମ୍ବାଇ,୧୫/୧୨: ଆଜି ମହାରାଷ୍ଟ୍ରରେ ଫଡ଼ନବିସ୍ ସରକାରଙ୍କ କ୍ୟାବିନେଟ୍ ବିସ୍ତାର। ସୂତ୍ର ମୁତାବକ, ମନ୍ତ୍ରୀମାନଙ୍କର ଶପଥଗ୍ରହଣ ସମାରୋହ ନାଗପୁରରେ ଅନୁଷ୍ଠିତ ହେବ । ସେଥିରେ ୩୦ରୁ ୩୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ରାଜ୍ୟ କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ୪୩ ସଦସ୍ୟ ରହିପାରିବେ । ବିଜେପିକୁ ୨୦-୨୧ଟି ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ଶିବସେନା ସିନ୍ଦେକୁ ୧୧-୧୨, ଏନ୍ସିପି ଅଜିତ ଗୋଷ୍ଠୀକୁ ୯-୧୦ ମନ୍ତ୍ରୀ ପଦ ମିଳିପାରେ । ସମ୍ଭାବିତ ମନ୍ତ୍ରୀମାନଙ୍କୁ ଶପଥ ଲାଗି ନିଜେ ମୁଖ୍ୟମନ୍ତ୍ରୀ ଫଡ଼ନବିସ୍ ଫୋନ୍ କରିବେ ।
ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାବନକୁଲେ ଶୁକ୍ରବାର କ୍ୟାବିନେଟ୍ ଚୂଡ଼ାନ୍ତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହିତ ଅଲଗା ଅଲଗା ଚର୍ଚ୍ଚା କରିଥିଲେ । ସିନ୍ଦେ ଓ ଅଜିତ ପାୱାର ନିଜ ନିଜ ମନ୍ତ୍ରୀମାନଙ୍କ ତାଲିକା ମୁଖ୍ୟମନ୍ତ୍ରୀ ଫଡ଼ନବିସ୍ଙ୍କୁ ଦେଇଛନ୍ତି । କ୍ୟାବିନେଟ୍ରେ ସ୍ଥାନ ପାଇବା ଲାଗି ବିଜେପି ପକ୍ଷରୁ ଚନ୍ଦ୍ରଶେଖର ବାବନକୁଲେ, ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗାନ୍ତିୱାର, ପଙ୍କଜା ମୁଣ୍ଡେଙ୍କ ନାମ ସବୁଠୁ ଆଗରେ ରହିଛି ।
ମେଘନା ବୋର୍ଡିକର, ସମ୍ଭାଜୀ ପାଟିଲ ନିଲଙ୍ଗେକର, ରବୀନ୍ଦ୍ର ଚୌହ୍ୱାନ, ରାଧାକୃଷ୍ଣ ପାଟିଲ, ଗିରୀଶ ମହାଜନ, ଅତୁଲ ସାଭେ, ପରିଣୟ ଫୁକେ ଓ ସଞ୍ଜୟ କୁଟେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ବିଜେପି କିଛି ନୂଆ ଚେହେରାକୁ ସୁଯୋଗ ଦେଇପାରେ । ଶିବସେନା ସିନ୍ଦେ ଗୋଷ୍ଠୀ ପକ୍ଷରୁ ଉଦୟ ସାମନ୍ତ, ଶମ୍ଭୁରାଜ ଦେସାଇ, ଦାଦା ଭୁସେ, ଗୁଲାବରାଓ ପାଟିଲ ମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି । ସେହିଭଳି ସଞ୍ଜୟ ଶିରସାଟ, ପ୍ରତାପ ସରନାଇକ, ଭରତ ଗୋଗାୱଲେ, ବିଜୟ ଶିବତାରେ, ଅର୍ଜୁନ ଖୋତକରଙ୍କୁ ବି ସୁଯୋଗ ମିଳିପାରେ । ଏନ୍ସିପି ଅଜିତ ଗୋଷ୍ଠୀରୁ ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଧର୍ମରାଓବାବା, ଅଦିତି ତଟକରେ, ଅନୀଲ ପାଟିଲ ମନ୍ତ୍ରୀ ହୋଇପାରନ୍ତି ।
ସୂଚନାଥାଉକି, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୨୩୦ଟି ଆସନ ହାତେଇଥିଲା । ସେଥିମଧ୍ୟରୁ ବିଜେପି ଏକାକୀ ୧୩୨ଟି ଆସନ ପାଇଥିବାବେଳେ ଶିବସେନା ୫୭, ଏନ୍ସିପି ୪୧ଟି ଆସନ ପାଇଥିଲା । ଏହାପରେ ଦେବେନ୍ଦ୍ର ଫଡ଼ନବିସ୍ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।