ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ଦୁଃଖଦ ଘଟଣାରେ ଜଣେ ବ୍ୟକ୍ତି ନିଜ ପୁଅକୁ ତାଙ୍କ ମଦ ପିଇବା କାରଣରୁ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣା ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳରେ ଘଟିଥିବା ଜଣାପଡିଛି। ଅଭିଯୁକ୍ତ ବ୍ୟକ୍ତି ନିଜ ପୁଅ ତାଙ୍କ ମଦ ପିଇଥିବାରୁ ରାଗି ଯାଇ ତାଙ୍କୁ ନିର୍ମମ ଭାବେ ପିଟିଥିଲେ, ଯାହାଦ୍ୱାରା ତାଙ୍କ ପୁଅର ମୃତ୍ୟୁ ହୋଇଛି। 

ସୂଚନା ମୁତାବକ, ସୋମବାର ସକାଳୁ ୬୫ ବର୍ଷିୟ ହୀରାମନ ଧ୍ରୁବେ ନିଜ ପାଇଁ ଏକ ମଦ କିଣି ଆଣି ଘରେ ରଖିଥିଲେ। ଏହି ସମୟରେ ତାଙ୍କ ୩୫ ବର୍ଷିୟ ପୁଅ ଦିଲ୍ଲିପ ଧ୍ରୁବେ ହୀରାମନଙ୍କ ଅଜାଣତରେ ସମସ୍ତ ମଦ ପିଇଦେଇଥିଲେ। ଏହି ଘଟଣାରେ ହୀରାମନ ଅତ୍ୟନ୍ତ କ୍ରୋଧିତ ହୋଇଯାଇ ନିଜ ପୁଅକୁ ଗାଳିଗୁଲଜ କରିଥିଲେ। ପରେ ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ହୀରାମନ ପାଖରେ ଥୁଆ ହୋଇଥିବା ଏକ କାଠଫାଳିଆ ଆଣି ଦିଲ୍ଲିପଙ୍କ ପିଟିବା ଆରମ୍ଭ କରିଦେଇଥିଲେ। 

ଏହା ମଧ୍ୟରେ ଘଟଣା ସ୍ଥଳରେ ହିଁ ଦିଲ୍ଲିପଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ମଦ ସେବନ ସହ ଜଡ଼ିତ ଘରୋଇ ହିଂସା ଉପରେ ପୁନର୍ବାର ଦୃଷ୍ଟି ଦେବାକୁ ଏହି ଘଟଣା ଧ୍ୟାନ ଆକର୍ଷଣ କରିଛି। 

ତେବେ ସବୁଠୁ ଦୁଃଖର ବିଷୟ ହେଉଛି କି ଯେ ମୃତ ଦିଲ୍ଲିପଙ୍କର ଛୋଟ ଛୋଟ ଦୁଇଜଣ ସନ୍ତାନ ରହିଛନ୍ତି। ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ବୟ, ୫ ବର୍ଷ ହୋଇଥିବା ବେଳେ ଜଣକର ବୟସ ୨.୫ ବର୍ଷ ବୋଲି ଜଣାପଡିଛି। ତେବେ ଦିଲ୍ଲିପଙ୍କ ପତ୍ନୀ ରାଜକୁମାରୀ ଦେବି ସ୍ୱାମୀଙ୍କ ହରାଇ ବେସାହାରା ହୋଇ ପଡିଛନ୍ତି।