ମହାରାଷ୍ଟ୍ର – ମହାରାଷ୍ଟରେ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) କ୍ଷୀରରେ ଅପମିଶ୍ରଣ ବିରୁଦ୍ଧରେ ରାଜ୍ୟବ୍ୟାପୀ ଅଭିଯାନ ଜୋରଦାର କରି ଦେଇଛି। କମିଶନର ତୁକାରାମ ମୁଣ୍ଡେଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଲଗାତାର ଚଢାଉ କରାଯାଉଛି। ଏହିକ୍ରମରେ ଲାଟୁର ଓ ସୋଲାପୁର ଜିଲ୍ଲାର ସାଙ୍ଗୋଲାରେ ହୋଇଥିବା ବଡ଼ କାର୍ଯ୍ୟାନୁଷ୍ଠାନ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉଭୟ ମାମଲାରେ ହଜାର ହଜାର ଲିଟର ଅପମିଶ୍ରିତ କ୍ଷୀର ଜବତ ସହ ନଷ୍ଟ କରାଯାଇଛି। ଅନ୍ୟପଟେ ସତାରା ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଲୋକଙ୍କ ମଧ୍ୟରେ ନୂଆ ବିତର୍କ ସୃଷ୍ଟି ହୋଇଛି।

ଲାଟୁର ଜିଲ୍ଲାର କିଲ୍ଲାରୀ ଅଞ୍ଚଳରେ ଏଫଡିଏର ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ପ୍ରାୟ ୭ହଜାର ୫୦୦ ଲିଟର ସନ୍ଦେହଜନକ କ୍ଷୀର, ବହୁ ମାତ୍ରାରେ ମିଲ୍କ ପରମିଏଟ୍, ହ୍ୱେ ପରମିଏଟ ପାଉଡର ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହି ମାମଲାରେ ଚାରି ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ପ୍ରଶାସନର କହିବାନୁସାରେ, ପରୀକ୍ଷଣର ଉଦ୍ଦେଶ୍ୟ ଏହା ଜାଣିବାକୁ ଯେ, ଜବତ କରାଯାଇ ଥିବା ସାମଗ୍ରୀର ଉପଯୋଗ ଖାଦ୍ୟ ମାନଦଣ୍ଡ ଅନୁରୂପ କରାଯାଉ ଥିଲା ନା ପୁଣି କ୍ଷୀରରେ ଅବୈଧ ଅପମିଶ୍ରଣ ପାଇଁ କରାଯାଉ ଥିଲା। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ଅନ୍ତିମ ନିଷ୍କର୍ଷ ଲ୍ୟାବ ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ସାମ୍ନାକୁ ଆସିବ। ବର୍ତ୍ତମାନ ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି।

ଏଫଡିଏ ସୋଲାପୁର ଜିଲ୍ଲାର ସାଙ୍ଗୋଲାର ବୁରାଙ୍ଗେୱାଡି ସ୍ଥିତ ଅଜିଙ୍କ୍ୟରାନା କ୍ଷୀର ସଂଗ୍ରହ କେନ୍ଦ୍ରରେ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଅଧିକାରୀଙ୍କ ଅନୁସାରେ , ଏଠାରୁ ପ୍ରାୟ ୩୭,୫୩୨ ଲିଟର ସନ୍ଦେହଜନକ କ୍ଷୀର ଜବତ କରାଯାଇ ଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଥିବା କୁହାଯାଇଛି। ଯାଞ୍ଚ ପରେ ସମସ୍ତ କ୍ଷୀରକୁ ନଷ୍ଟ କରି ଦିଆ ଯାଇଛି।

ଆହୁରି ମଧ୍ୟ ପଢନ୍ତୁ - 199 Postpaid Plan: ୧୯୯ ଟଙ୍କାରେ ୨୫ ଜିବି ଡାଟା, ସାରି ନପାରିଲେ ବଳକା ହେବ ଜମା

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଳ୍ପ ସମୟ ମଧ୍ୟରେ ଏହି କେନ୍ଦ୍ରରେ ହଜାର ହଜାର ଲିଟର କ୍ଷୀର ଜମା ହୋଇ ଥିଲା, ଯାହା ପରେ ଆଖପାଖ ଅଞ୍ଚଳରେ କ୍ଷୀରରେ ଅପମିଶ୍ରଣର ଆଲୋଚନା ଆରମ୍ଭ ହୋଇଗଲା। ଅଭିଯୋଗ ପରେ ଏଫଡିଏର ଟିମ୍ ୧୧ ଜୁଲାଇ ସନ୍ଧ୍ୟାରେ ହଠାତ୍ ଚଢାଉ କରି ଥିଲା ଏବଂ କ୍ଷୀର ନମୂନା ଯାଞ୍ଚ ପାଇଁ ପଠାଇ ଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଅଧିକାରୀଙ୍କୁ ବଡ଼ ସ୍ତରରେ ଗୁଣବତ୍ତା ସମ୍ୱନ୍ଧୀୟ ଗଡ଼ବଡ଼ର ସଙ୍କେତ ମିଳି ଥିଲା। ଯାହା ପରେ ସେହି ସନ୍ଦେହଜନକ କ୍ଷୀରକୁ ନଷ୍ଟ କରି ଦିଆ ଗଲା।