ମୁମ୍ବାଇ, ୧/୨ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶତଥ ଗ୍ରହଣ କରିଛନ୍ତି ସ୍ବର୍ଗତ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା । ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ତାଙ୍କୁ ମିଳିଥିବାବେଳେ ଅର୍ଥ ବିଭାଗ ନିଜେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ । ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ପରଲୋକ ପରେ ଚର୍ଚ୍ଚା ହେଉଥିଲା କି, ଏନସିପିର ଦୁଇ ଗୋଷ୍ଠୀ ଏକାଠି ହେବେ । ମାତ୍ର ଏବେ ସେମିତି କିଛି ଲାଗୁନି । କାରଣ ଶନିବାର ସୁନେତ୍ରା ମୁମ୍ବାଇରେ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ ଶରଦ ପାଓ୍ବାର । ସେ ରବିବାର ମୁମ୍ବାଇରେ ପହଞ୍ଚିଥିଲେ । ମାତ୍ର ସୁନେତ୍ରା ରବିବାର ବାରମତୀକୁ ଫେରି ଯାଇଛନ୍ତି ।

ଅଜିତ ପାଓ୍ବାରଙ୍କ ଦେହାନ୍ତ ପରେ ରାଜନୈତିକ ମାହୋଲରେ ଏକ ଚର୍ଚ୍ଚା ହେଉଛି କି, ଦୁଇ ଗୋଷ୍ଠୀ ଏକ ହୋଇ ପାରନ୍ତି । ମାତ୍ର ଏନେଇ ଆଲୋଚନା ହୋଇଛି କି ନାହିଁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଦିଲ୍ଲୀରେ ଅଛନ୍ତି ବାରମତୀର ସାଂସଦ ତଥା ଶରଦ ପାଓ୍ବାରଙ୍କ ଜିଅ ସୁପ୍ରିୟା ସୁଲେ । ଦୁଇ ଗୋଷ୍ଠୀ ଏକାଠି ହେବା ନେଇ ସେ ଆଲୋଚନା କରୁଥିବା କୁହାଯାଉଛି । ଆସନ୍ତା ଫେବ୍ରୁଆରୀ ୧୨ ତାରିଖରେ ଏହା ସମ୍ଭବ ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଭଳି ଏକ ସମୟରେ ପୁତୁରା-ବୋହୂ ଏବଂ ଦାଦାଙ୍କ ମଧ୍ୟରେ ଭେଟ ହୋଇନାହିଁ । ତେବେ ପାଓ୍ବାର ପରିବାରରେ କଣ ଚାଲିଛି ? ଏହାକୁ ନେଇ ରାଜନୈତିକ ମାହୋଲରେ ବେଶ ଚର୍ଚ୍ଚା ହେଉଛି ।

ଏହାସହ ପଢ଼ନ୍ତୁ : ବଜେଟ୍ ୨୦୨୬ : ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?