ମୁମ୍ବାଇ,୧୮।୮: ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ସ୍ଥିତି ବେହାଲ। ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ଅନୁସାରେ ଆଗାମୀ ସମୟରେ ଗମ୍ଭୀର କିମ୍ବା ଅତ୍ୟନ୍ତ ବିପଜ୍ଜନକ ପାଗ ସୃଷ୍ଟି ହୋଇପାରେ। ଲୋକମାନେ ରେଡ୍ ଆଲର୍ଟରେ ବାହାରକୁ ଯିବାକୁ ମନା କରାଯାଇଛି। ମୁମ୍ବାଇରେ ଗତ ତିନି ଦିନ ଧରି ଲାଗି ରହିଛି ପ୍ରବଳ ବର୍ଷା। ଫଳରେ ବହୁ ଅଞ୍ଚଳର ସଡକରେ ପାଣି ଭରି ଯାଇଛି। ମୁମ୍ବାଇର ରାସ୍ତାଗୁଡ଼ିକ ପୋଖରୀରେ ପରିଣତ ହୋଇଛି। ବିଶେଷକରି ସହରର ଦୁଇଟି ବ୍ୟସ୍ତବହୁଳ ଅଞ୍ଚଳ ଅନ୍ଧେରୀ ସବୱେ, କୁର୍ଲା ଏବଂ ଲୋଖଣ୍ଡୱାଲାରେ ପ୍ରବଳ ପାଣି ଜମି ରହିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଲମ୍ବା ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆଗାମୀ ଦୁଇ ଦିନ ପାଇଁ ମୁମ୍ବାଇ, ଥାନେ ଓ ରାୟଗଡ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରଛି। ପ୍ରବଳ ବର୍ଷା ଯୋଗୁଁ ଅନ୍ଧେରୀ ସବୱେକୁ ବନ୍ଦ କରି ଦିଆଯାଇଛି। ଏହାଛଡା ସ୍କୁଲ କଲେଜ ମଧ୍ୟ ଛୁଟି ଘୋଷଣା କରାଯାଇଛି। 

ମୁମ୍ବାଇ ପୋଲିସ ‘ଏକ୍ସ’ରେ ପୋଷ୍ଟ କରି ସ୍ଥାନୀୟ ଲୋକଙ୍କୁ ଆବଶ୍ୟକତା ନଥିଲେ ବାହାରକୁ ନଯିବାକୁ ସତର୍କ ସୂଚନା ଦେଇଛି। ପୋଲିସର କହିବା ଅନୁସାରେ, ଆମର ଅଧିକାରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ସତର୍କ ରହିଛନ୍ତି। କୌଣସି ଜରୁରୀ ସ୍ଥିତିରେ ୧୦୦/୧୧୨ ଓ ୧୦୩କୁ ଡାଏଲ କରିବାକୁ କୁହାଯାଇଛି। ମୁମ୍ବାଇର ଲାଇଫଲାଇନ୍ କୁହାଯାଉଥିବା ରେଳ ସେବା ୮ ରୁ ୧୦ ମିନିଟ୍ ବିଳମ୍ବରେ ଚାଲିଛି।