ମୁମ୍ବାଇ,୨୦/୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆସନ ବୁଝାମଣାକୁ ନେଇ ଶୁକ୍ରବାର  ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ  ବାସଭବନରେ ଏନ୍‌ଡିଏର ମେଣ୍ଟ ଦଳ ମଧ୍ୟରେ  ଅଢ଼େଇ ଘଣ୍ଟା ଧରି ବୈଠକ ହୋଇଥିଲା । ସେଥିରେ  ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ  ଅଜିତ ପାୱାର, ଦେବେନ୍ଦ୍ର ଫଡ୍‌ନାଭିସ୍‌ ସାମିଲ  ହୋଇଥିଲେ । ବୈଠକରେ ଆସନ ବୁଝାମଣାକୁ  ନେଇ ସହମତି ହୋଇଥିବା ସାମ୍ନାକୁ ଆସିଛି । 

ସୂତ୍ର  ମୁତାବକ, ରାଜ୍ୟର ୨୮୮ ବିଧାନସଭା ଆସନ  ମଧ୍ୟରୁ ବିଜେପି ୧୫୫, ଶିବସେନା ଶିନ୍ଦେ ଗୋଷ୍ଠୀ  ୭୮, ଏନ୍‌ସିପି ଅଜିତ ପାୱାରଙ୍କ ଗୋଷ୍ଠୀ ୫୫ଟି  ଆସନରେ ନିଜର ପ୍ରାର୍ଥୀ ଦେବ । ଛୋଟ ଦଳଗୁଡି଼କୁ  ମଧ୍ୟ କିଛି ଆସନ ଦେବା ଲାଗି ବୈଠକରେ ସହମତି  ହୋଇଛି । ଛୋଟ ଦଳଗୁଡ଼ିକୁ ବିଜେପି ନିଜ କୋଟାରୁ  ଆସନ ଦେବ । କୌଣସି ଦଳ ନିକଟରେ ଜିତିବା  ଭଳି ପ୍ରାର୍ଥୀ ନଥିଲେ ୫ଟି ସ୍ଥାନରେ ପ୍ଲସ୍‌-ମାଇନସ୍‌  ହୋଇପାରେ । କିଛି ଆସନକୁ ନେଇ ତିନି ଦଳ  ମଧ୍ୟରେ ସାମାନ୍ୟ ସମସ୍ୟା ଥିବାବେଳେ ଶାହଙ୍କ  ନିର୍ଦ୍ଦେଶ ପରେ ତାକୁ ରାଜ୍ୟ ସ୍ତରରେ ସମାଧାନ  କରିବାକୁ ନିଷ୍ପତ୍ତି ନିଆଯାଇଛି । 

ସେହିଭଳି ବିଜେପି, ଏନ୍‌ସିପି ଓ ଶିବସେନା କିଛି ଆସନ ବଦଳାଇବା  ନେଇ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀରେ ଅମିତ  ଶାହଙ୍କ ସହିତ ସାକ୍ଷାତ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଓ ଅଜିତ ପାୱାର ମହାରାଷ୍ଟ୍ର  ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ ଅଦ୍ୟାବଧି ଦିଲ୍ଲୀରେ ଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଗୋଟିଏ  ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ୍‌ ଗ୍ରହଣ  ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ  ସାମ୍ନାକୁ ଆସିବ । ସେଠାରେ ମହାୟୁତି ସରକାର ପୁଣି  କ୍ଷମତାକୁ ଫେରିବ ନା ମହାବିକାଶ ଅଘାଡି କୌଣସି ଚମତ୍କାର ଦେଖାଇବ ଏହା ସମୟ ହିଁ କହିବ ।