ନୂଆଦିଲ୍ଲୀ: ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ମତଦାନ ଶେଷ ହେବା ପରେ, ଏବେ ନଭେମ୍ବର ୨୩ର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଏହା ପୂର୍ବରୁ ଏକଜିଟ୍ ପୋଲ୍ ଆକଳନ ଏବେ ସାମ୍ନାକୁ ଆସିଛି । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଯେ, ରାଜ୍ୟର ପରବର୍ତ୍ତୀ ସିଏମ୍ କିଏ ହେବେ ? ତେବେ ନିର୍ବାଚନ ପରେ ସିଏମ ଚେହେରା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଉଭୟ ମହାୟୁତୀ ଏବଂ ମହାଭିକାଶ ଅଗାଡି (ଏମଭିଏ) ଘୋଷଣା କରିଥିଲେ।
ପିପୁଲ୍ ପଲ୍ସ (PEOPLES PULSE) ର ଏକଜିଟ୍ ପୋଲ୍ ତଥ୍ୟକୁ ଯଦି ଆମେ ଦେଖିବା ତେବେ ୩୫.୮ ପ୍ରତିଶତ ଲୋକ ବର୍ତ୍ତମାନର ସିଏମ୍ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ଚୟନ କରିଛନ୍ତି । ଉଦ୍ଧବ ଠାକରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କୁ ୨୧.୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିଭଳି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ୧୧.୭ ପ୍ରତିଶତ, ଅଜିତ ପାୱାରଙ୍କୁ ୨.୩ ପ୍ରତିଶତ ଏବଂ ନାନା ପାଟୋଲଙ୍କୁ ୧.୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଅନ୍ୟ ମାନଙ୍କୁ ୨୭.୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।
ଏକନାଥ ସିନ୍ଦେ
ଏକନାଥ ସିନ୍ଦେ ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ଶିବସେନାର ମୁଖ୍ୟ। ଏକନାଥ ସିନ୍ଦେ ଥାନେ ଜିଲ୍ଲାର କୋପରୀ-ପାଚପାଖଡି ବିଧାନସଭା ଆସନରୁ ଆସିଛନ୍ତି । ଏକନାଥ ସିନ୍ଦେ ୨୦୦୯ ମସିହାରେ ଏଠାରୁ ଜିତିଥିଲେ, ଏହା ପରେ ସେ ଏଠାରୁ କେବେ ହାରି ନାହାଁନ୍ତି । ୨୦୨୨ ମସିହାରେ, ଏକନାଥ ସିନ୍ଦେ ବିଦ୍ରୋହ କରି ଉଦ୍ଧବ ଠାକରେଙ୍କ ସହ ଅଲଗା ହୋଇ ବିଜେପି ସହିତ ସରକାର ଗଠନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସରକାରଙ୍କ ସଫଳତା ସହିତ ମହାରାଷ୍ଟ୍ର ନିର୍ବାଚନରେ କ୍ଷମତାକୁ ଫେରିବାକୁ ଆଶା ରଖିଛନ୍ତି।
ଦେବେନ୍ଦ୍ର ଫଡନାଭିସ୍
ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବର୍ତ୍ତମାନ ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଛନ୍ତି। ସେ ନାଗପୁର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ୨୦୦୯ ଠାରୁ ଏଠାରେ ବିଧାୟକ ରହିଆସିଛନ୍ତି । ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ଯେତେବେଳେ ଏକନାଥ ସିନ୍ଦେ ବିଜେପି ସହିତ ସରକାର ଗଠନ କଲେ, ସେତେବେଳେ ଫଡନାଭିସଙ୍କୁ ବିଜେପି ନେତୃତ୍ୱ ଦ୍ୱାରା ଡେପୁଟି ସିଏମ ଦାୟିତ୍ୱ ଦିଆଯାଇଥିଲା ।
ଅଜିତ ପାୱାର
ଅଜିତ ପାୱାର ଏନସିପିର ନେତୃତ୍ୱ ନେଉଛନ୍ତି । ସେ ବର୍ତ୍ତମାନ ରାଜ୍ୟର ଡେପୁଟି ସିଏମ ଭାବରେ ଦାୟିତ୍ବ ତୁଲାଉଛନ୍ତି । ଅଜିତ ପାୱାର ପୁଣେର ବାରାମାଟି ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସେ ଏଠାରୁ ଗତ ସାତୋଟି ନିର୍ବାଚନରେ ଜିତିଛନ୍ତି । ଏଥର ଅଜିତ ପାୱାର ତାଙ୍କ ପୁତୁରା ତଥା ଶରଦ ପାୱାର ଦଳର ନେତା ଯୁଗେନ୍ଦ୍ର ପାୱାରଙ୍କ ସହ ପ୍ରତିଯୋଗିତା କରିଛନ୍ତି । ଏହି ଆସନରେ ନିର୍ବାଚନରେ ଶରଦ ପାୱାର ମଧ୍ୟ ଜିତିଛନ୍ତି । ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ଠାରୁ ଅଲଗା ହୋଇ ମହାଯୂତୀରେ ଯୋଗ ଦେଇଥିଲେ।
ଉଦ୍ଧବ ଠାକରେ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନ ଶିବସେନା (ୟୁବିଟି) ର ନେତୃତ୍ୱ ନେଉଛନ୍ତି । ସେ ବର୍ତ୍ତମାନ ଜଣେ ଏମ୍.ସି.ଏଲ୍ । ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ତାଙ୍କ ପୁଅ ଆଦିତ୍ୟ ଠାକରେ ୱର୍ଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ମହାବିକାଶ ଅଗାଡି ମିଳିତ ମଞ୍ଚରେ ଅଛି ।