କଟକ ୧୬/୦୩: SCB ଟ୍ରମା କେୟାର ସେଣ୍ଟର ICUରେ ଭୟଙ୍କର ଅଗ୍ନିକାଣ୍ଡ। ଚାଲିଗଲା ୧୦ ରୋଗୀଙ୍କ ଜୀବନ, ୧୧ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ। ନିଆଁ ଲିଭାରେ ଦମକଳ ବାହିନୀ ନିୟୋଜିତ​​​​​​​ ଅଛନ୍ତି। କେମିତି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏସସିବି ମେଡିକାଲର ଟ୍ରମା କେୟାର ସେଣ୍ଟରର ଆଇସିୟୁରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଓ୍ବାର୍ଡରେ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରଙ୍କୁ ଅନ୍ୟ ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। 

ଏ ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅନ୍ୟ ରୋଗୀମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରତ୍ୟେକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି । ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।