ଭୁବନେଶ୍ୱର,୨୩/୦୬: ନକଲି ନିବେଶ  ସ୍କାମ୍‌ରେ ଫସାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ  ଟଙ୍କା ଠକୁଥିଲା । ଏହି ଟଙ୍କାରେ ଟେଲି ଫିଲ୍ମ  ସହ ଡକ୍ୟୁମେଣ୍ଟେରୀ ନିର୍ମାଣ କରୁଥିଲା ।  ନିଜେ ହିରୋ ସାଜୁଥିଲା । ଏଭଳି ଢଙ୍ଗରେ ୫୪ ଲକ୍ଷ ଟଙ୍କା ଠକିଥିବା ଜଣେ ସାଉଥ୍‌ ଟେଲି ଫିଲ୍ମ ଅଭିନେତାକୁ ସାଇବର ଓ ଅର୍ଥନୈତିକ  ଅପରାଧ ଥାନା ପୁଲିସ ଗିରଫ କରିଛି । ତାଙ୍କ  ନାଁ ପ୍ରସାଦ ବାଲାନ୍‌  ଓରଫ୍‌ କିଚୁ ଲାଲ୍‌ (୪୯) । ପୁଲିସ ତାକୁ  କେରଳ ପାଲାକଡ୍‌ ଜିଲ୍ଲାର ମେଲାରକୋଡେ ବାଲିଆପାଜିଆକୋଦାମର ଏକ ଜଙ୍ଗଲରୁ  ଗିରଫ କରିଛି । ପୁଲିସ ସୂଚନା ମୁତାବକ,  ପ୍ରସାଦ ଏବଂ ତା’ର ୪ଜଣ ସହଯୋଗୀଙ୍କ ଏହି  ନକଲି ନିବେଶ ସ୍କାମ୍‌ରେ ସମ୍ପୃକ୍ତି ଅଛି । 

ଖାଲି  ଓଡି଼ଶା ନୁହେଁ, ଅନ୍ୟ ୯ଟି ରାଜ୍ୟରେ ସେମାନେ  ଏହି ସ୍କାମ୍‌ରେ ଶହ ଶହ ଲୋକଙ୍କୁ ଫସାଇଛନ୍ତି ।  ଭର୍ଚୁଆଲ୍‌ ଗୋଲ୍ଡ ବିଡିଂ ନାଁରେ ଲୋକଙ୍କୁ ପାର୍ଟ ଟାଇମ୍‌ ଚାକିରିର ଅଫର ଦେଉଥିଲେ ।  ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଆଦର୍ଶ ବିହାରର ଦୀପକ ନାୟକ ନାମକ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇ ୩ ଲକ୍ଷ  ୫୭ ହଜାର ଟଙ୍କା ହରାଇଥିଲେ । ସେ ଗତ  ଏପ୍ରିଲ ୨୨ରେ ଥାନାରେ  ଅଭିଯୋଗ କଲେ । ଗତ  ସପ୍ତାହରେ ପୁଲିସର ଏକ ଟିମ୍‌ କେରଳ ଯାଇଥିଲା । ଗିରଫ ଖବର ପାଇ ପ୍ରସାଦ ନିଜ ଗାଁର ନିକଟସ୍ଥ ଏକ ଜଙ୍ଗଲକୁ ଚାଲିଯାଇଥିଲା । ସ୍ଥାନୀୟ ପୁଲିସ ସହାୟତାରେ ପୁଲିସ ତାକୁ ଜଙ୍ଗଲରୁ ଗିରଫ କରି ଟ୍ରାନଜିଟ୍‌  ରିମାଣ୍ଡରେ ଭୁବନେଶ୍ୱର ଆଣିଛି । ତା’ଠାରୁ ୯ଟି ପାସ୍‌ବୁକ୍‌, ୫ଟି ଚେକ୍‌ ବୁକ୍‌ ଓ ୮ଟି ଡେବିଟ୍‌ କାର୍ଡ ଜବତ କରାଯାଇଛି । ଠକେଇ  ତଥ୍ୟ ରହୁଥିବା ୪ଟା ଡାଏରୀକୁ ଜବତ କରାଯାଇ ତଦନ୍ତ ଚାଲିଛି।