ନୂଆଦିଲ୍ଲୀ: ଛୁଆଙ୍କଠାରୁ ବୟସ୍କ ସମସ୍ତେ ମୋବାଇଲରେ ରହୁଛନ୍ତି ବ୍ୟସ୍ତ । ଟିକେ ସମୟ ପାଇଲେ ମୋବାଇଲରେ ଲାଗିପଡ଼ୁଛନ୍ତି । ଛୋଟ ଛୋଟ ପିଲାମାନେ ମୋବାଇଲ ନ ଦେଖିଲେ ଖାଉନାହାନ୍ତି । ଏମିତି ଅନେକ ଉଦାହରଣ ଆପଣମାନେ ଦେଖୁଥିଲେ । ଆଉ ପିଲା ଥରେ ସୋସିଆଲ ମିଡିଆରେ ଫସିଗଲେ ଆଉ ବାହାରି ଅସମ୍ଭବ । ଏବେ ଯେଉଁ ଭାବେ କଣ୍ଟେନ୍ କରି କିଛି ଲୋକ ଭାଇରାଲ ହେଉଛନ୍ତି ତାହା ପିଲାଙ୍କ ଆଖିରେ ପଡ଼ିଲେ ବିଗିଡ଼ିଯିବେ । ଏମିତି ଅନେକ ଯୁକ୍ତି କରୁଥିବାବେଳେ ଛୋଟପିଲାଙ୍କ ପାଇଁ ସୋସିଆଲ ମିଡିଆ କିଛି ଦେଶରେ ବ୍ୟାନ୍ କରାଯାଇଛି । ଏବେ ଏଥିରେ ସାମିଲ୍ ହୋଇଛି ମାଲେସିଆ ।
ମାଲେସିଆରେ ସୋସିଆଲ ମିଡିଆ ପାଇଁ ଏକ ନୂଆ ନିୟମ ଲାଗୁ କରାଯାଇଛି । ୧୬ ବର୍ଷରୁ କମ୍ ବୟସ୍କ ପିଲାମାନେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେ ନାହିଁ ।ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଏବଂ ୟୁଟ୍ୟୁବ୍ ସମେତ ସମସ୍ତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବା ପୂର୍ବରୁ ବୟସ ଯାଞ୍ଚ ଆବଶ୍ୟକ। ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଆକାଉଣ୍ଟ ତିଆରି କରିବା ନିଷେଧ । ଏହି ସରକାରୀ ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଗୁଡ଼ିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଇପାରନ୍ତି । ଏହି ନୂତନ ନିୟମ ଅନୁଯାୟୀ, ଯଦି ପିଲାମାନେ କୌଣସି ପ୍ରକାରେ ଆକାଉଣ୍ଟ ତିଆରି କରିବାରେ ସଫଳ ହୁଅନ୍ତି, ତେବେ ସେମାନଙ୍କ ପିତାମାତାଙ୍କୁ ଦଣ୍ଡ ଦିଆଯିବ ନାହିଁ । ଏଥିପାଇଁ କମ୍ପାନୀ ଗଣିବ ତଣ୍ଡ ।
୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ କ୍ଷତିକାରକ ବିଷୟବସ୍ତୁ, ସାଇବର ଧମକ ଏବଂ ଅତ୍ୟଧିକ ଅନଲାଇନ୍ ଖର୍ଚ୍ଚ ଅଭ୍ୟାସରୁ ରକ୍ଷା କରିବା । ସରକାର କହିଛନ୍ତି ଯେ ଏହା ପିଲାମାନଙ୍କୁ ଇଣ୍ଟରନେଟ୍ ଠାରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରୁନାହିଁ, ବରଂ ସେମାନଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଏପରି ବୈଶିଷ୍ଟ୍ୟ ବିକଶିତ କରିବାକୁ ପଡିବ ଯାହା ପିଲାମାନଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ରକ୍ଷା କରେ । ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କୁ କିଛି ସମୟ ମଧ୍ୟ ଦିଆଯାଇଛି ।
ପୂର୍ବରୁ କେଉଁ ଦେଶରେ ହୋଇଛି ବ୍ୟାନ୍ ?
ଅଷ୍ଟ୍ରେଲିଆ ପ୍ରଥମେ ଏ ଦିଗରେ ପଦକ୍ଷେପ ନେଇଥିଲା । ଡିସେମ୍ବର ୧୦, ୨୦୨୫ ମସିହାରେ ପ୍ରଥମେ ଛୋଟ ପିଲାଙ୍କ ପାଇଁ ବ୍ୟାନ୍ କରିଥିଲା ସୋସିଆଲ ମିଡିଆ । ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଆକାଉଣ୍ଟ ଖୋଲିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାସହ ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଫ୍ରାନ୍ସ ମଧ୍ୟ ସମାନ ନୀତି ଆପଣାଯାଇଛି । ତେବେ ଭାରତରେ କେବେ ଏହା ଲାଗୁ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : Parking Issues: ଭୋକ ବଢ଼ାଉଛି ରାଜଧାନୀ ଟ୍ରାଫିକ୍