ନୂଆଦିଲ୍ଲୀ,୦୮/୧୦: ଭାରତ-ମାଳଦ୍ୱୀପ ସମ୍ପର୍କକୁ ମିଳିଛି ନୂଆ ଶକ୍ତି । ଦୁଇଦେଶ ମଧ୍ୟରେ  ଆଉ ମନାନ୍ତର ନାହିଁ । ଯାହା କିଛି ଭୁଲ ବୁଝାମଣା  ଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭାରତ ଗସ୍ତରେ  ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏବଂ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର  ବୈଠକ ପରେ ଦ୍ୱିପାକ୍ଷିକ ସମ୍ପର୍କ ସବଳ ହୋଇଛି ।  ଭାରତ ସରକାର ୩ ହଜାର କୋଟି ଟଙ୍କାର ଆର୍ଥିକ  ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ  ଦୁଇଦେଶ ମଧ୍ୟରେ ୪୦ କୋଟି ଡଲାରର ଦ୍ୱିପାକ୍ଷିକ  କରେନ୍ସି ସ୍ୱାପ୍‌ ଚୁକ୍ତି ବି ସ୍ୱାକ୍ଷରିତ ହୋଇଛି । 

ଲିକ୍ୱିଡିଟି ସଙ୍କଟରେ ପଡ଼ି ଛଟପଟ ହେଉଥିବା  ମାଳଦ୍ୱୀପକୁ ଉଦ୍ଧାର କରିଛି ଭାରତ । ଏକ ଭଲ  ପଡ଼ୋଶୀ ଭାବେ ଭାରତ ସବୁବେଳେ ନିଜ ଦାୟିତ୍ୱ  ନିର୍ବାହ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।  ଭାରତଠାରୁ ଏଭଳି ସାହାଯ୍ୟ ଓ ସହଯୋଗ ପାଇ ମୁଇଜ୍ଜୁ  କୃତଜ୍ଞତାରେ ବୁଡ଼ିଛନ୍ତି । ମୋଦି ସରକାରଙ୍କୁ ପ୍ରଶଂସାରେ  ପୋତିଛନ୍ତି । ରାଷ୍ଟ୍ରପତି ହେବା ପରଠାରୁ ଭାରତ ପ୍ରତି  ମୁଇଜ୍ଜୁଙ୍କ ମନରେ ଯେଉଁ ଭୁଲ ଧାରଣା ଥିଲା, ତାହା  ବଦଳି ଯାଇଛି । ଚୀନ୍‌ ନୁହେଁ, ଭାରତ ହିଁ ସୁଖଦୁଃଖର  ସାଥୀ ବୋଲି ତାଙ୍କର ହୃଦୟଙ୍ଗମ ହୋଇଛି । 

ପ୍ରଧାନମନ୍ତ୍ରୀ ମୋଦି ଓ ମହମ୍ମଦ ମୁଇଜ୍ଜୁଙ୍କ ମଧ୍ୟରେ  ଦ୍ୱିପାକ୍ଷିକ ବୈଠକ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଏବଂ  ମାଳଦ୍ୱୀପ ମନିଟାରି ପ୍ରାଧିକରଣ (ଏମ୍‌ଏମ୍‌ଏ) ମଧ୍ୟରେ  କରେନ୍ସି ସ୍ୱାପ୍‌ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି  ଅନୁସାରେ, ଆର୍‌ବିଆଇଠାରୁ ଏମ୍‌ଏମ୍‌ଏ ଆମେରିକୀୟ  ଡଲାର/ୟୁରୋ ସ୍ୱାପ୍‌ ୱିଣ୍ଡୋ ଅଧୀନରେ ୪୦ କୋଟି  ଡଲାର ଏବଂ ଆଇଏନ୍‌ଆର୍‌ (ଭାରତୀୟ ଟଙ୍କା) ସ୍ୱାପ୍‌  ୱିଣ୍ଡୋ ଅଧୀନରେ ୩ ହଜାର କୋଟି ଟଙ୍କା ପାଇବାକୁ  ଯୋଗ୍ୟ ହୋଇଛି । ଏହି ଚୁକ୍ତି ୨୦୨୭ ଜୁନ୍‌ ୧୮ ପର୍ଯ୍ୟନ୍ତ  ବୈଧ ରହିବ । ଭାରତଠାରୁ ଏହି ସହାୟତା ପାଇବା  ଦ୍ୱାରା ମାଳଦ୍ୱୀପର ବିଦେଶୀ ମୁଦ୍ରା ସଙ୍କଟ ଦୂର ହେବ । 

ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ  ମୋଦି କହିଛନ୍ତି, ମାଳଦ୍ୱୀପ ପ୍ରତି ବିପଦ ଆସିଲେ,  ଭାରତ ପ୍ରଥମେ ପ୍ରତିକ୍ରିୟା ଦେଇଥାଏ । ସେହି ଦୃଷ୍ଟିରୁ  କରେନ୍ସି ସ୍ୱାପ୍‌ ଚୁକ୍ତି ହୋଇଛି । ଏହାଛଡ଼ା ମାଳଦ୍ୱୀପର  ଭିତ୍ତିଭୂମି ବିକାଶ ଓ ଡିଜିଟାଲ କନେକ୍ଟିଭିଟି ନେଇ  ମଧ୍ୟ ଆଲୋଚନା ହୋଇଛି । ଭାରତ ସବୁବେଳେ  ପଡ଼ୋଶୀ ହେବାର ଦାୟିତ୍ୱକୁ ବୁଝିବା ସହ ଏହାକୁ  ତୁଲାଇଥାଏ । ଏଥିସହ ଭାରତ ସହଯୋଗରେ ନିର୍ମିତ  ୭୦୦ରୁ ଅଧିକ ସାମାଜିକ ଆବାସ ୟୁନିଟ୍‌କୁ ଭାରତ  ମାଳଦ୍ୱୀପକୁ ହସ୍ତାନ୍ତର କରିଥିବା ମୋଦି କହିଛନ୍ତି ।  ତାଙ୍କ ମୁତାବକ, ନିକଟରେ ମାଳଦ୍ୱୀପରେ ରୁପେ କାର୍ଡ  ଶୁଭାରମ୍ଭ ହୋଇଥିଲା । ଆଗାମୀ ଦିନରେ ଦୁଇଦେଶ  ୟୁପିଆଇ ଜରିଆରେ ବି ଯୋଡ଼ିହେବେ । 

ଏହାଛଡ଼ା ମାଳଦ୍ୱୀପର ଅଦ୍ଦୁଠାରେ ଭାରତୀୟ  ଦୂତାବାସ ଏବଂ ବେଙ୍ଗାଲୁରୁରେ ମାଳଦ୍ୱୀପର ଦୂତାବାସ  ଖୋଲିବା ନେଇ ଆଲୋଚନା ହୋଇଛି । ମୋଦି ଓ  ମୁଇଜ୍ଜୁ ଭର୍ଚୁଆଲ୍‌ ଭାବେ ମାଳଦ୍ୱୀପର ହାନିମାଧୁ  ବିମାନବନ୍ଦରରେ ଏକ ନୂଆ ରନ୍‌ୱେକୁ ଉଦ୍‌ଘାଟନ  କରିଥିଲେ । ଏହାଛଡ଼ା ଭାରତର ରାଷ୍ଟ୍ରୀୟ ରକ୍ଷା ୟୁନିଭର୍ସିଟି  ଓ ମାଳଦ୍ୱୀପର ନ୍ୟାସନାଲ କଲେଜ ଅଫ୍‌ ପୋଲିସିଂ ଆଣ୍ଡ୍‌  ଲ’ ଏନ୍‌ଫୋର୍ସମେଣ୍ଟ ମଧ୍ୟରେ ବୁଝାମଣା ହୋଇଛି ।  ସିବିଆଇ ଓ ମାଳଦ୍ୱୀପର ଆଣ୍ଟି-କରପ୍‌ସନ୍‌ କମିଶନ  ମଧ୍ୟରେ ଏମ୍‌ଓୟୁ ହୋଇଥିବା ବେଳେ ଏନ୍‌ଜେଏଆଇ  ଓ ଜେଏସ୍‌ସି ମଧ୍ୟରେ ବୁଝାମଣା ହୋଇଛି । ସେତିକି  ନୁହେଁ, ଏକ ବ୍ୟାପକ ଅର୍ଥନୈତିକ ତଥା ସାମୁଦ୍ରିକ  ସୁରକ୍ଷା ଭାଗୀଦାରିତା ନେଇ ମଧ୍ୟ ଚୁକ୍ତି ହୋଇଛି । 

ମୁଇଜ୍ଜୁ କହିଛନ୍ତି, ୩ ହଜାର କୋଟିର ସହାୟତା  ଏବଂ ୪୦ କୋଟି ଡଲାରର କରେନ୍ସି ସ୍ୱାପ୍‌ ଚୁକ୍ତି ପାଇଁ  ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଭାରତର  ଏହି ସହାୟତା ଆମର ମୁଦ୍ରା ବିନିମୟ ସମସ୍ୟାର  ପ୍ରତିକାର କରିବ । ଭାରତର ସୁରକ୍ଷାକୁ କୌଣସିମତେ  କ୍ଷତି ପହଞ୍ଚାଇବାକୁ ଦେବୁନାହିଁ ବୋଲି ସେ ପ୍ରତିଶ୍ରୁତି  ଦେଇଥିଲେ । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ  ଆଜି ଦ୍ୱିପାକ୍ଷିକ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା  ହୋଇଥିଲା । 

ମୋଦି ଆହୁରି କହିଥିଲେ, ଆମେ  ମାଳଦ୍ୱୀପ ଲୋକଙ୍କ ପ୍ରାଥମିକତାକୁ ସବୁବେଳେ ଗୁରୁତ୍ୱ ଦେଇଥାଉ । ଚଳିତବର୍ଷ ଟ୍ରେଜରି ବେଞ୍ଚ୍‌  ଅଫ୍‌ ମାଲଦ୍ୱୀପ ପାଇଁ ଏସ୍‌ବିଆଇ ୧୦ କୋଟି ଡଲାର  ସହାୟତା ଦେଇଥିଲା । ମୁଇଜ୍ଜୁ ଆଜି ପତ୍ନୀ ସଜିଧା  ମହମ୍ମଦଙ୍କ ସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦି  ବି ସେମାନଙ୍କ ସହ ଉପସ୍ଥିତ ଥିଲେ