ଭବାନୀପାଟଣା/ବିଶ୍ୱନାଥପୁର,୧୭/୬: କଳାହାଣ୍ଡି ଜିଲ୍ଲା କ୍ଷୂଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଶତାଧିକ ଜଳସେଚନ ପ୍ରକଳ୍ପ, କେନାଲ ଲଟା ବୁଦାରେ ଭରି ରହିଛି । ମାଟିରେ କେନାଲ ସବୁ ପୋତି ହୋଇଗଲାଣି । ବର୍ଷବର୍ଷ ଧରି ଏଭଳି ଅବସ୍ଥାରେ ରହିଛି । ମାତ୍ର ରକ୍ଷଣବେକ୍ଷଣ ଓ ମରାମତି ନାମରେ ପ୍ରତିବର୍ଷ କାମ ହେଉଥିବା ଦର୍ଶାଇ କୋଟିକୋଟି ଟଙ୍କା ହେରଫେର ହେଉଥିବା ଅଭିଯୋଗ ହୋଇଆସୁଛି । କେବଳ କାଗଜପତ୍ରରେ ସୀମିତ ରହୁଥିବା ତୃଣମୂଳ ସ୍ତରରେ ପ୍ରକଳ୍ପ ଓ କେନାଲ ଗୁଡ଼ିକର ଚିତ୍ର ଉକ୍ତ ଅଭିଯୋଗକୁ ପୁଷ୍ଟି କରୁଛି ।
ଚଳିତ ବର୍ଷ ମୌସୁମୀ ବର୍ଷା ଆଗୁଆ ଆସିଯାଇଥିବାରୁ ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପ୍ରତି ପ୍ରସ୍ତୁତ ହୋଇଗଲେଣି । କିନ୍ତୁ ଜଳସମ୍ପଦ ବିଭାଗ ଏକ୍ଷେତ୍ରରେ ବହୁତ ପଛୁଆ ଥିବା ଜଣାପଡ଼ିଛି । ଯେଉଁଠି ନଦୀ, ନାଳର ଆଡ଼ିବନ୍ଧର ମରାମତି ଆବଶ୍ୟକ ତାହା ବର୍ତ୍ତମାନ ସୁଦ୍ଧା ହେଲା ନାହିଁ । କ୍ଷୂଦ୍ର ଜଳସେଚ ପ୍ରକଳ୍ପ ଓ କେନାଲଗୁଡ଼ିକର ଅବସ୍ଥା ଶୋଚନୀୟ । ମୌସୁମୀ ବର୍ଷା ଆଗମନ ପୁର୍ବରୁ ଏଗୁଡ଼ିକର ମରାମତି କରାଯିବା କଥା କିନ୍ତୁ ତାହା ପାରିନାହିଁ । ବିଭାଗ ଗୁରୁତ୍ପ ଦେଉ ନାହିଁ । ଚାଷୀମାନେ ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ କେନାଲ ଠିକଣା ବର୍ତ୍ତମାନ ଖୋଜୁଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଂଜି ପଂଚାୟତ କାଣ୍ଡମା ଠାରେ ମାଲିଗୁଡା କ୍ଷୂଦ୍ର୍ର ଜଳସେଚନ ପ୍ରକଳ୍ପ ୨୦୦୩ ମସିହା ଜାନୁୟାରୀରେ ନିର୍ମାଣ କାମ ଆରମ୍ଭ ହୋଇଥିଲା । ପ୍ରାୟ ୨୦୦୪ ମସିହା ପର୍ଯନ୍ତ ପ୍ରାୟ ୭୦% କାମ ଶେଷ ହେଲା । ୨୦୦୪ ମସିହାରୁ ପ୍ରକଳ୍ପ ନିର୍ମାଣ ଅଧପନ୍ତିଆ ଭାବେ ଛାଡି ଦେଇଥିଲା ବିଭାଗ । ବାରମ୍ବାର ଅଂଚଳର ଚାଷୀମାନେ ଅଭିଯୋଗ କରିବାରୁ ୨୦୨୦ ମସିହାରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ୨୦୨୧ମସିହା ଅଗଷ୍ଟ ୧ ତାରିଖ ଉକ୍ତ ପ୍ରକଳ୍ପରୁ କେବଳ କାଣ୍ଡମା ଗ୍ରାମର ପ୍ରାୟ ୫୦ ଏକର ଜମିକୁ ଜଳସେଚିତ ହୋଇପାରିଛି । କିନ୍ତୁ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ବୁଣ୍ଡେଲ, ମୂଷାନାଲ ଗ୍ରାମର ୨୦୦ରୁ ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଜଳ ସେଚନ ହୋଇପାରିଲା ନାହିଁ । କ୍ଷୂଦ୍ର ଜଳସେଚନ ବିଭାଗ ଆଉ ଏହି ପ୍ରକଳ୍ପକୁ ଅନ୍ତରିକତା ଦେଖାଇଲା ନାହିଁ । ତେବେ ସବୁଠାରୁ ପରିତାପର ବିଷୟ କାଣ୍ଡମା ଗ୍ରାମର ଯେଉଁ ଚାଷ ଜମିରେ ଜଳସେଚିତ ହୋଇଥିଲା ତାହାର କେନାଲରେ ପଙ୍କ ଜମି ଯିବାରୁ ତାହାର ମଧ୍ୟ ସୁଫଳ ଚାଷୀଙ୍କୁ ମିଳିଲା ନାହିଁ । ଚାଷ ଜମିକୁ ପାଣି ପହଞ୍ଚି ପାରୁ ନାହିଁ । ପ୍ରତି ବର୍ଷ ବିହାଗୀୟ ଅଧିକାରୀଙ୍କୁ କେନାଲର ପଙ୍କ କାଦୁଅ ଉଦ୍ଧାର ପାଇଁ ଲୋକେ ଦାବି କରିଆସୁଥିଲେ ।
ଚଳିତ ଖରିଫରେ ମଧ୍ୟ ବିଭାଗ ମାଲିଗୁଡା କ୍ଷୂଦ୍ର୍ର ଜଳସେଚନ ପ୍ରକଳ୍ପ କେନାଲ ମାଟି,ପଙ୍କ ଉଦ୍ଧାର କାମ ନହେବାରୁ କାଣ୍ଡମା ଗ୍ରାମବାସୀ ନିଜସ୍ୱ ପଇସା ଏବଂ ଶ୍ରମଦାନ କରି କେନାଳ ସଫା କରିଛନ୍ତି । ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଆସିଛୁ ମାତ୍ର ସଂପୂର୍ଣ୍ଣ ଭାବେ ଅଣଦେଖା କରିଦିଆଯାଉଛି ବୋଲି ଚାଷୀ କେଦାର, କୁମୁଦ ସାହୁ, ଗଗନ ସାହୁ, ପ୍ରମୋଦ ସାହୁ, ଲଷ୍ମୀପ୍ରିୟା ସାହୁ, ମିନକେତନ ପରିଚ୍ଛା , ପିତାମ୍ବର ଦୋରା ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଗତ ୨୦୨୩ ମେ ମାସରେ ମାଲିଗୁଡା କ୍ଷୂଦ୍ର ଜଳ ସେଚନ ପ୍ରକଳ୍ପର ରକ୍ଷଣବେକ୍ଷଣ ଓ ଜଳ ସେଚନ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା କରିବା ପାଇଁ କାଣ୍ଡମା, ବୁଣ୍ଡେଲ, ମୂଷାନାଲର ଚାଷୀଙ୍କୁ ନେଇ ଏକ ପାଣି ପଂଚାୟତ ଗଠନ କରାଯାଇଥିଲା । ପାଣି ପଂଚାୟତ ସଭାପତି ଏବଂ ସମ୍ପାଦକ ଗଗନ ବିହାରୀ ସାହୁ ଗତ ଏପ୍ରିଲ ମାସରେ କ୍ଷୂଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ଲାଂଜିଗଡ଼ ବ୍ଲକ୍ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ମାଲିଗୁଡ଼ା ପ୍ରକଳ୍ପ କେନାଲ ପୁନରୁଦ୍ଧାର ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ୪ ବର୍ଷ ହେବ କେନାଲର ପଙ୍କ ଉଦ୍ଧାର କରିବା ପାଇଁ ଟଙ୍କା ଦିଆଯାଉ ନାହିଁ ବୋଲି ପାଣି ପଂଚାୟତର ସମ୍ପାଦକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏକ୍ଷେତ୍ରରେ ପ୍ରତିବର୍ଷ ମାଲିଗୁଡ଼ା ପ୍ରକଳ୍ପର କେନାଲ ମରାମତି ଟଙ୍କା ଯାଉଛି କୁଆଡେ ବୋଲି ଚାଷୀ ମହଲରେ ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଅଂଚଳର ଚାଷୀ ଦାବି କରିଛନ୍ତି ।