ମାଲକାନଗିରି,୧୬/୧(ଆପ୍ର ) : ସାଇକେଲ ଯୋଗେ ଆଜି ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା କରିଛନ୍ତି ମାଲକାନଗିରି ସହର ୧୧୯ କଲୋନୀର ଯୁବକ ଦିନେଶ ପଟ୍ଟନାୟକ । ପ୍ରୟାଗରାଜ ଠାରେ ପୂର୍ଣ୍ଣ ମହାକୁମ୍ଭର ବହୁତ ବଡ଼ ଆୟୋଜନ କରାଯାଇଛି। ଏହି ଯାତ୍ରାରେ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଥାଏ। ଆଜି ମାଲକାନଗିରିରୁ ଜଣେ ଭକ୍ତ ଦିନେଶ ପଟ୍ଟନାୟକ ସାଇକେଲ ଯୋଗେ ପ୍ରୟାଗ ରାଜ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମହା କୁମ୍ଭମେଳା ତିଥି ୧୪୪ ବର୍ଷ ପରେ ହୋଇଥିବାବେଳେ ସେଠାରେ ଭକ୍ତଙ୍କ ଭିଡ଼ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। 

ଗତ ବର୍ଷ  ଦିନେଶ ମାଲକାନଗିରି ରୁ ପଦଯାତ୍ରା ଆରମ୍ଭ କରି ଅଯୋଧ୍ୟା ରାମମନ୍ଦିର ପହଞ୍ଚିଥିଲେ। ବର୍ତ୍ତମାନ ସାଇକେଲ ଯୋଗେ ମାଲକାନଗିରିରୁ ପ୍ରୟାଗ ରାଜ ଯାତ୍ରା ଆରମ୍ଭ କରିଛନ୍ତି। ଯାହା ମାଲକାନଗିରି ପାଇଁ ଗୌରବର ବିଷୟ। ମାଲକାନଗିରିରୁ ପ୍ରୟାଗ ରାଜ ଯାତ୍ରା ୧୧୦୦ ଉର୍ଦ୍ଧ କିଲୋମିଟର ହୋଇଥିବାବେଳେ ୧୦ ରୁ୧୨ ଦିନ ଲାଗିବ ବୋଲି କହିଛନ୍ତି। ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହ କିପରି ଆଜିର ଯୁବପିଢ଼ି ଆଗକୁ ଆସିବେ ଓ କିପରି ଧର୍ମ ବିଷୟରେ ଜାଣିପାରିବେ ଏହାର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ଦିନେଶ। ଏହି କୁମ୍ଭ ମେଲାରେ ଯୋଗଦେବା ଭାଗ୍ୟର ବିଷୟ ବୋଲି କହିବା ସହ ଯୁବପିଢ଼ି ଧର୍ମପ୍ରତି ସଚେତନତା ହେବାନେଇ ବାର୍ତ୍ତା ଦେଇ ଯାତ୍ରା ଆରମ୍ଭ କରିଛନ୍ତି ଦିନେଶ।