କୋଲକାତା,୨୭।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଟିଏମସି ସୁପ୍ରିମୋଙ୍କ ମମତା ବାନାର୍ଜୀଙ୍କ ଅଡୁଆ କମିବାର ନାଁ ନେଉନି। ବୁଧବାର ମମତାଙ୍କୁ ଲାଗିଛି ବଡ଼ ଝଟକା। ତାଙ୍କର ଖୁବ୍ ଘନିଷ୍ଠ ତଥା ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ପଦବୀରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରେ ଟିଏମସିର ଖରାପ ପ୍ରଦର୍ଶନ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ପ୍ରଥମେ ସେ ବାରାସାତ ସାଂଗଠନିକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରଦେଶର ଅଧ୍ୟକ୍ଷ ସୁବ୍ରତ ବକ୍ସିକୁ ଦେଇଛନ୍ତି । ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
କାକୋଲି ଗତ ବହୁ ଦଶକ ହେବ ଟିଏମସି ସହ ଜଡିତ ଥିଲେ। ସେ ଦଳର ବରିଷ୍ଠ ନେତ୍ରୀ। ସେ ପ୍ରାୟ ୯-୧୦ ମାସ ପର୍ଯ୍ୟନ୍ତ ଲୋକସଭାରେ ଦଳର ଚିଫ୍ ହ୍ବିପ ଥିଲେ। ଏହାପରେ ଗତ କିଛି ଦିନ ତଳେ ତାଙ୍କୁ ହଟାଇ ଏହି ଦାୟିତ୍ବ କଲ୍ୟାଣ ବାନାର୍ଜୀଙ୍କୁ ଦିଆଯାଇଥିଲା। ଏହି ନିଷ୍ପତ୍ତି କାରଣରୁ କାକୋଲି ଖୁବ୍ ଅସନ୍ତୁଷ୍ଟ ଥିଲେ। ସେ ସୋସିଆଲ ମିଡିଆରେ ଲେଖିଥିଲେ ୧୯୭୬ ରୁ ସମ୍ପର୍କ, ୧୯୮୪ ରେ ଯାତ୍ରା ଆରମ୍ଭ ହେଲା। ଆଜି ମୋତେ ୪ ଦଶକର ବିଶ୍ବାସନୀୟତାର ଏହି ପୁରସ୍କାର ମିଳିଲା।’
ଏହାପରେ ଚର୍ଚ୍ଚା ହେଉଥିଲା ଯେ, କାକୋଲି ଖୁବ୍ ଶୀଘ୍ର ଟିଏମସିରୁ ଇସ୍ତଫା ଦେଇପାରନ୍ତି। କେନ୍ଦ୍ର ସରକାର ମଧ୍ୟ ତାଙ୍କର ସୁରକ୍ଷା ବଢାଇ ଓ୍ବାଇ କାଟାଗୋରୀ କରିଦେଇଥିଲେ। ସେଭଳି ବଙ୍ଗଳାରେ ପରାଜୟ ପରେ ଅଭିଷେକ ବାନାର୍ଜୀଙ୍କ ସହିତ ସମସ୍ତ ନେତାଙ୍କ ସୁରକ୍ଷାରେ ମଧ୍ୟ କାଟ୍ କରାଯାଇଥିଲା। ମଙ୍ଗଳବାର କୋଲକତା ନିକଟସ୍ଥ କଲ୍ୟାଣୀଠାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାକୋଲି ସାମିଲ ହୋଇଥିଲେ । ଏହି ବୈଠକରେ ନଦିଆ, ଉତ୍ତର ୨୪ ପ୍ରଗଣା ଏବଂ ହୁଗୁଳି ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କାକୋଲିଙ୍କ ସହ ଟିଏମସିର ଅନ୍ୟ ୬ ଜଣ ବିଧାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ
ଆହୁରି ପଢନ୍ତୁ : 'ଟିଏମସିର ୫୦ ବିଧାୟକ ଓ ୨୦ ସାଂସଦ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ'; ସୌମିତ୍ର ଖାନ