ନୂଆଦିଲ୍ଲୀ,୨।୨: ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନଙ୍କ ଅଫିସରେ ପହଁଞ୍ଚିଥିଲେ। ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କୁ ସାକ୍ଷାତ କରିଥିଲେ। ତେବେ ବାହାରିବା ପରେ ଇସିଙ୍କ ଉପରେ ଜୋରଦାର ବର୍ଷିଥିଲେ ମମତା। ଟିଏମ୍ସି ମୁଖ୍ୟ ସିଇସିଙ୍କ ଆଡକୁ ଇଶାରା କରି କହିଥିଲେ ସେ ବିଜେପିର ଆଇଟି ସେଲ୍ ଭଳି କାମ କରୁଛନ୍ତି। ଏହି ସମୟରେ ବିରୋଧ ପ୍ରତୀକ ଭାବରେ ମମତା କଳା ରଙ୍ଗର ସଲ୍ ଘୋଡି ହୋଇଥିଲେ।
ଏହା ସହ ମମତା ଆହୁରି ମଧ୍ୟ କହିଛନ୍ତି ଯେ,ସେ ଯାହା କିଛି କହିଛନ୍ତି, ତାହା ପୁରା ଠିକ୍। ସେ କୌଣସି ବାହାରର କ୍ୟାମେରାମ୍ୟାନଙ୍କୁ ଭିତରକୁ ଯିବାକୁ ଦେଲେନି। ସେ ବିଜେପି ଇଶାରାରେ କାମ କରୁଛନ୍ତି। ମୁଁ କହିଲି ଆପଣଙ୍କ ସ୍ଥିତି ଧନଖଡଙ୍କ ଭଳି ହେବ।ପ୍ରାୟ ୨ କୋଟି ଲୋକଙ୍କ ନାଁ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି। ମୁଁ ଦିଳ୍ଲୀକୁ ଲକ୍ଷାଧିକ ଲୋକଙ୍କୁ ଆଣିପାରିବି ଓ ତାଙ୍କୁ କାହା ସାମାନରେ ବି ପରେଡ୍ କରିପାରିବି।’
ମମତା କହିଛନ୍ତି, ମୁଁ ବହୁତ ଦୁଃଖି। ମୁଁ ଦୀର୍ଘ ସମୟ ଧରି ଦିଲ୍ଲୀ ରାଜନୀତିରେ ସାମିଲ ଅଛି। ମୁଁ ୪ ଥର ମନ୍ତ୍ରୀ ଓ ୭ ଥର ସାଂସଦ ରହିସାରିଛି। ମୁଁ ଏଭଳି ଅଂହକାରୀ ଓ ମିଛୁଆ ନିର୍ବାଚନ କମିଶନ୍ କେବେ ଦେଖିନି। ମୁଁ ତାଙ୍କୁ କହିଲି ମୁଁ ଆପଣଙ୍କ ଆସନକୁ ସମ୍ମାନକରେ,କାରଣ କୌଣସି ଆସନ କେବେ ବି ସ୍ଥାୟୀ ନୁହେଁ। ଦିନେ ଆପଣଙ୍କୁ ବି ଯିବାକୁ ହେବ, ପଶ୍ଚିମବଙ୍ଗକୁ ଟାର୍ଗେଟ କରାଯାଉଛି। ନିର୍ବାଚନ ଲୋକତନ୍ତ୍ରୀ ଏକ ପର୍ବ, କିନ୍ତୁ ଆପଣ ୯୮ ଲକ୍ଷ ଲୋକଙ୍କ ନାଁ ହଟାଇ ଦେଲେ, ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ବି ଦେଲେନି।