ନୂଆଦିଲ୍ଲୀ : ହିନ୍ଦୀ ଭାଷାର ବରିଷ୍ଠ କଥାକାର ମମତା କାଲିୟାଙ୍କୁ ୨୦୨୫ ମସିହା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ମମତା କାଲିୟାଙ୍କୁ ଏହି ପୁରସ୍କାର ତାଙ୍କର ମେମୋୟର ପୁସ୍ତକ ‘ଜିତେ ଜି ଆହ୍ଲାବାଦ ’ ପାଇଁ ଦିଆ ଯାଇଛି। ସାହିତ୍ୟ ଏକାଡେମୀ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ମୁତାବିକ ଏକାଡେମୀ ଦ୍ୱାରା ମାନ୍ୟତା ପ୍ରାପ୍ତ ୨୪ଟି ଭାରତୀୟ ଭାଷାରେ ବାର୍ଷିକ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ଏହି ସବୁ ପୁରସ୍କାରରେ ଆଠଟି କବିତା ସଂଗ୍ରହ, ଚାରୋଟି ଉପନ୍ୟାସ , ଛଅଟି କାହାଣୀ ସଂଗ୍ରହ , ଦୁଇଟି ନିବନ୍ଧ , ଗୋଟିଏ ସାହିତ୍ୟିକ ସମାଲୋଚନା , ଗୋଟିଏ ଆତ୍ମଜୀବନୀ ଓ ଦୁଇଟି ମେମୋୟର ( memoir) ପୁସ୍ତକ ଅନ୍ତର୍ଭୁକ୍ତ। ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ର ପ୍ରକ୍ରିୟା ଜାନୁଆରୀ ୨୦୨୫ରେ ଆରମ୍ଭ ହୋଇଥିଲା। ଏବଂ ୩୦ ଜାନୁଆରୀ ୨୦୨୫ରେ ଏକ ବିଜ୍ଞାପନ ଜାରି କରାଯାଇ ଥିଲା।
ମମତା କାଲିୟାଙ୍କ ପ୍ରତିକ୍ରିୟା –
ସାହିତ୍ଯ ଏକାଡେମୀ ପୁରସ୍କାରର ଘୋଷଣା ପରେ ଲେଖିକା ମମତା କାଲିୟା ଫେସବୁକରେ ପୋଷ୍ଟ କରିଥିଲେ। ସେ ଲେଖି ଥିଲେ ଯେ, ବନ୍ଧୁ ଧନ୍ୟବାଦ , ଏମିତି ବହୁତ କମ୍ ହୋଇ ଥାଏ ଯେ, ଆମର ଫୋନ୍ରେ ଟ୍ରାଫିକ୍ ଜାମ୍ ହେବାର। କ୍ଷମା ମାଗୁଛି। ଆପଣଙ୍କ ଭଲ ପାଇବା ଏବେ ଭଲ ପାଇବା ଦେବାରେ ହିଁ ପୂର୍ଣ୍ଣ ହେବ। ମମତା କାଲିଆ ଆହୁରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କ ଆଶୀର୍ବାଦ ମୋତେ ଆହୁରି ଏକ ପୁସ୍ତକ ଲେଖିବା ପାଇଁ ଉତ୍ସାହିତ କରିଛି। ସାହିତ୍ୟ ଏକାଡେମୀରୁ ପୁରସ୍କୃତ ଲେଖକଙ୍କ ପାଇଁ ୩୧ ମାର୍ଚ୍ଚ ୨୦୨୬ରେ ନୂଆ ଦିଲ୍ଲୀରେ ଏକ ଭବ୍ୟ ସମାରୋହର ଆୟୋଜନ ହେବ। ଏହି ସମୟରେ ଏକ ତାମ୍ର ଫଳକ , ଶାଲ୍ ଓ ଲକ୍ଷେ ଟଙ୍କାର ଅର୍ଥ ରାଶି ପୁରସ୍କୃତ ଲେଖକଙ୍କୁ ଦିଆଯିବ।
‘ ଜିତେ ଜି ଆହ୍ଲାବାଦ’ ପୁସ୍ତକରେ କଣ ଅଛି –
‘ ଜିତେ ଜୀ ଆହ୍ଲାବାଦ’ ପୁସ୍ତକ ମମତା କାଲିୟାଙ୍କ ସ୍ମୃତି କଥା। ଏଥିରେ ଲେଖିକା ଆହ୍ଲାବାଦରେ ବିତାଇ ଥିବା ନିଜର ପ୍ରାରମ୍ଭିକ ଦିନକୁ ମନେପକାଇଛନ୍ତି। ଏହି ପୁସ୍ତକରେ ସେ ନିଜର ରାନୀମଣ୍ଡିର କୋଠା , ଲୋକନାଥର ସ୍ୱାଦ ଓ ଚୌକ ସମେତ ପୁରୁଣା ସହର ବିଷୟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଲେଖିଛନ୍ତି। ଏହା ବ୍ୟତୀତ ମମତା କାଲିୟା ସେହି ସମୟର ଲେଖକ ଓ ତାଙ୍କର କାର୍ଯ୍ୟକଳାପକୁ ମଧ୍ୟ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି।
‘ ଜିତେ ଜୀ ଆହ୍ଲାବାଦ’ ପୁସ୍ତକରେ ମମତା କାଲିଆ ଏକ ହୃଦୟସ୍ପର୍ଶୀ କଥା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ହିନ୍ଦୁସ୍ତାନୀ ଏକାଡେମୀର ଏକ ଗୋଷ୍ଠୀରେ ମାର୍କଣ୍ଡେୟ କାଟଜୁ ଅଧ୍ୟକ୍ଷତା କରୁଥିଲେ। ସେ ଜଣେ ଜଣାଶୁଣା ବିଚାରପତି ଥିଲେ। ସହରରେ ତାଙ୍କର ଖୁବ୍ ଦବଦବା ଥିଲା। ଅଧ୍ୟକ୍ଷୀୟ ଭାଷଣରେ ସେ କହିଥିଲେ , ଏମିତି ଦେଖିଲେ ପ୍ରେମଚନ୍ଦ ଏତେ ବଡ଼ କଥାକାର ନଥିଲେ କି ... ଭୈରବ ଜୀ ହଲ୍ରେ ଚିତ୍କାର କଲେ , ଆପଣ ପ୍ରେମଚନ୍ଦଙ୍କ ବିଷୟରେ କଣ ଜାଣିଛ , କଣ ବୁଝିଛ। କିଏ ଆପଣଙ୍କୁ ବିଚାରପତି କଲା। ପଳାଅ ଏଠୁ। ଭୈରବ ଜୀ ତାଙ୍କୁ ମଞ୍ଚରୁ ଠେଲିବା ପାଇଁ ଯାଉଥିବା ବେଳେ ମାର୍କଣ୍ଡେୟ କାଟଜୁ ତୁରନ୍ତ ମଞ୍ଚରୁ ଉଠି ଆସିଲେ ଏବଂ ଖାଲି ପାଦରେ ବାହାରକୁ ପଳାଇଲେ। ତାଙ୍କର ଅର୍ଡରଲି ଜୋତା ଉଠାଇ ପଛେ ପଛେ ଦୌଡ଼ିଲେ। ଭୌରବ ଜୀଙ୍କ ରୁଦ୍ର ରୂପ ଆଗରେ ସମସ୍ତେ ନିରବ ହୋଇଗଲେ।
ଏହାସହ ମଧ୍ୟ ପଢନ୍ତୁ :ଗିରିଜା ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର