ଭୁବନେଶ୍ୱର (ପ୍ରମେୟ ଡିଜିଟାଲ)୧୬/୦୩: ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ 'ପାଦପୂରଣ' ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ଆଜି ୨୪ ଭାଷାରେ ପୁରସ୍କାର ପାଇଁ ମନୋନୀତ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩୧ରେ ନୂଆଦିଲ୍ଲୀରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ । ଏ ଖବର ପ୍ରଚାର ହେବା ପରେ ସାହିତ୍ୟିକ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ଗିରିଜାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ ।
ଶ୍ରୀ ବଳୀୟାରସିଂହ ରାଜ୍ୟର ଜଣେ ଆଗଧାଡ଼ିର ବେଶ ଜଣାଶୁଣା କବି । ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ । "ଭାରତବର୍ଷ' କାବ୍ୟକୃତି ପାଇଁ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ୧୯୭୬ରୁ ୨୦୨୪ ମସିହା ଯାଏଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଅବଧି ମଧ୍ୟରେ ସେ ଆମକୁ ଦେଇସାରିଛନ୍ତି ୧୫ଟି କାବ୍ୟକୃତି । ଓଡ଼ିଆ ସନେଟ୍ ସାହିତ୍ୟରେ ସେ ଏକ ଅଭିନବ ଧାରାପ୍ରବାହର ପ୍ରବର୍ତ୍ତକ । ତାଙ୍କର ବହୁ ରଚନା ପାଠକଙ୍କୁ ବେଶ ବିମୁଗ୍ଧ କରି ଆସିଛି । ତାଙ୍କର ଏ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗିରିଜାଙ୍କର ଉପଲବ୍ଧି ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉଜ୍ୱ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ-‘ଜିତେ ଜୀ ଆହ୍ଲାବାଦ ’ ପାଇଁ ମମତା କାଲିୟା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର