ନିମବାହାଳି,୨/୯: ଗଣେଶ ପୂଜା ଭସାଣି ଦେଖିବାକୁ ଯିବା ହେଲା କାଳ। ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ନୂଆଗାଁରୁ ସାମ୍ନାକୁ ଆସିଛି ଏହି ଖବର । ମୃତକ ହେଲେ ସଂସାର ଗଡନାୟକ ।
ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧୧ଟା ସମୟରେ ଗଣେଶ ପୂଜା ଭସାଣି ଦେଖି ବୃଦ୍ଧ ଜଣକ ଫେରୁଥିଲେ । ସେହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଅଧିକ ଗୁରୁତର ହୋଇପଡ଼ିବାରୁ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଭୋର୍ ୪ଟାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାର ଲୋକେ ଏନେଇ ବନବିଭାଗ ଓ ପୁଲିସକୁ ସୂଚନା ଦେଇଛନ୍ତି । ବିଭାଗୀୟ କର୍ମଚାରୀ ମୃତକଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।