ନୂଆଦିଲ୍ଲୀ: ଆମେ ସମସ୍ତେ ପିଲାଦିନେ ଶ୍ରବଣ କୁମାରଙ୍କ କାହାଣୀ ଶୁଣିଛୁ। ପିତାମାତାଙ୍କ ସେବା କରିବାକୁ ତାଙ୍କର ଉଦାହରଣ ଦିଆଯାଏ ।  କିନ୍ତୁ ଆଜିର ସମୟରେ ଏମିତି ଜଣେ ପୁଅ ଏବେ ଖବରରେ ଅଛନ୍ତି । ଯିଏ ନିଜ ମାଆଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି।  ଗୁଜରାଟର ଅମରେଲିରେ ଜଣେ ପୁଅ ତାଙ୍କ ମାଆଙ୍କ ଶ୍ରାଦ୍ଧବାର୍ଷିକୀରେ ଏପରି ଏକ କାର୍ଯ୍ୟ କରିଛନ୍ତି, ଯାହା କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।  ପ୍ରକୃତରେ, ଅମରେଲିରେ ବାବୁ ଭାଇ ଜିରାୱାଲା ନାମକ ଜଣେ ବ୍ୟକ୍ତି ତାଙ୍କ ମାଙ୍କ ଶ୍ରାଦ୍ଧବାର୍ଷିକୀରେ ଗାଁର ୨୯୦ ଜଣ ଚାଷୀଙ୍କ ଋଣ ପରିଶୋଧ କରିଛନ୍ତି। 

ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ୨୯୦ ଜଣ ଚାଷୀଙ୍କ ଋଣ ପରିଶୋଧ ବାବଦକୁ ଜିରାଓ୍ବାଲା ୯୦ ଲକ୍ଷ ଟଙ୍କା ଦେଇଛନ୍ତି । ବାବୁ ଭାଇ ଜଣେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ।  ସେ କହିଛନ୍ତି ଯେ, ତାଙ୍କ ମା’ଙ୍କର ଇଚ୍ଛା ଥିଲା ଅଳଙ୍କାର ବିକ୍ରି କରି ଗାଁରେ କିଛି ମଙ୍ଗଳ କାର୍ଯ୍ୟ କରିବାକୁ। ଏହା ପରେ, ଅଳଙ୍କାରରୁ ମିଳିଥିବା ଟଙ୍କା ଏବଂ ନିଜ ଟଙ୍କାରେ ଗାଁର ୨୯୦ ଚାଷୀଙ୍କ ଋଣ ପରିଶୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଜିରାଓ୍ବାଲା।

୧୯୯୫ ମସିହାରୁ ବିଚାରାଧୀନ ବ୍ୟାଙ୍କ ଋଣ ମାମଲା ସମ୍ପର୍କରେ ବାବୁଭାଇ ଜିରାୱାଲା କହିଛନ୍ତି, ‘୧୯୯୫ ମସିହାରୁ ଆମ ଗାଁରେ ଜିରା ସେବା ସହକାରୀ ମଣ୍ଡଳ ସମ୍ପର୍କରେ ଏକ ବଡ଼ ବିବାଦ ଲାଗି ରହିଥିଲା। ଏହି କମିଟିର ତତ୍କାଳୀନ ପ୍ରଶାସକମାନେ ଚାଷୀଙ୍କ ନାଁରେ  ଋଣ ଠକେଇ କରିଥିଲେ। ବର୍ଷ ବର୍ଷ ଧରି ଏହି ଋଣର ପରିମାଣ ବହୁ ଗୁଣ ବୃଦ୍ଧି ପାଇଥିଲା।’

ସେ ଆହୁରି କହିଛନ୍ତି, ‘ଚାଷୀମାନେ ସରକାରୀ ସହାୟତା, ଋଣ ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହୋଇଥିଲେ। ବ୍ୟାଙ୍କଗୁଡ଼ିକ ଗାଁର ଚାଷୀମାନଙ୍କୁ ଋଣ ପ୍ରଦାନ କରୁନଥିଲେ। ଋଣ ଅଭାବରୁ ଚାଷୀମାନେ କଷ୍ଟ ପାଉଥିଲେ। ତେଣୁ ମୋ ମାଆ ଗାଁର ଚାଷୀଙ୍କ ଋଣ ପରିଶୋଧ କରିବା ପାଇଁ ତାଙ୍କର ଅଳଙ୍କାର ବିକ୍ରି କରିବାକୁ ଇଚ୍ଛା କରିଥିଲେ।ଚାଷୀଙ୍କ ଉପରେ ୮୯,୮୯,୨୦୯ ଲକ୍ଷ ଟଙ୍କାର ଋଣ ଥିଲା । ମୁଁ ଏବଂ ମୋର ଭାଇ ବ୍ୟାଙ୍କ ଅଧିକାରୀମାନଙ୍କୁ ଭେଟିଥିଲୁ ।  ବ୍ୟାଙ୍କ ଅଧିକାରୀମାନେ ଋଣମୁକ୍ତ ପ୍ରମାଣପତ୍ର ପ୍ରଦାନ କରିବାରେ ସହଯୋଗ କରିଥିଲେ । ମୋ ପରିବାର ଏବଂ ମୁଁ ଖୁସି ଯେ, ଆମେ ମା'ଙ୍କ ଇଚ୍ଛା ପୂରଣ କରିଛୁ ଏବଂ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛୁ।’

ସେପଟେ ଚାଷୀଙ୍କୁ ବ୍ୟାଙ୍କରୁ ଆଶ୍ବସ୍ତି ମିଳିବା ପରେ ଜିରା ଗାଁରେ ଖୁସିର ପରିବେଶ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷରୁ ଋଣ ମାମଲାରେ ଛନ୍ଦି ହୋଇଥିବା ଚାଷୀ ଏବଂ ସେମାନଙ୍କ ପରିବାର ଶାନ୍ତିରେ ନିଶ୍ବାସ ମାରିଛନ୍ତି । ଏହାସହ ଜିରାଓ୍ବାଲା ଏବଂ ତାଙ୍କ ପରିବାରକୁ ଧନ୍ୟବଦ ଜଣାଇଛନ୍ତି ଋଣମୁକ୍ତ ହୋଇଥିବା ଚାଷୀ । ଗାଁର ୨୯୦ ପରିବାରର ପାଇଁ ଆସିଛି ନୂଆ ସକାଳ । ।