ନିମବାହାଳି, ୧୨/୮: ଗାଈ ଚରାଇବାକୁ ଯାଇ ଯୁବକ ନିଖୋଜ। ବ୍ରାହ୍ମଣୀ ନଦୀରେ ଭାସିଯାଇଥିବା ସନ୍ଦେହ। ଏନେଇ ପରିବାରଲୋକଙ୍କ ଅଭିଯୋଗ ପରେ ପୁଲିସ ଏବଂ ଅଗ୍ନିଶମ ବାହନୀ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରଖିଛି। ଲାଇଫ୍ ବୋଟ୍ ଯୋଗେ ଅଗ୍ନିଶମ ଟିମ୍ ନଦୀରେ ଖୋଜା ଖୋଜି କରୁଛନ୍ତି। ବର୍ତ୍ତମାନ ଯାଏ ନିଖୋଜ ଯୁବକ ପତ୍ତା ମିଳିପାରିନାହିଁ। ତେବେ ନିଖୋଜ ଥିବା ଯୁବକ ଜଣକ ଓଡାପଡ଼ା ବ୍ଳକ ମୋଟଙ୍ଗା ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ସନ୍ତୋଷ ବେହେରା (୫୭) ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସନ୍ତୋଷଙ୍କ ଘର ଏକଘରିଆ ଗ୍ରାମରେ। ସେ ସୋମବାର ଗାଈ ଚରାଇବାକୁ ବ୍ରାହ୍ମଣୀ ନଦୀପଠାକୁ ଯାଇଥିଲେ। ଅପରାହ୍ନରେ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। କୌଣସି ସନ୍ଧାନ ନପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ। ରାତି ହୋଇଯିବାରୁ ଖୋଜା ଯାଇପାରି ନଥିଲା। ମଙ୍ଗଳବାର ସକାଳୁ ପୁଣି ନଦୀରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଚଳାଇଛନ୍ତି।