ଏକ ସାମ୍ରାଜ୍ୟ ଭଳି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆକାର ବେଶ୍ ବିଶାଳ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଯାହା ସ୍ୱଂପରିଚାଳିତ ଏକ ସଂସ୍ଥା ତାହାକୁ ଏହି ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ରଖାଯାଇଛି । ସିବିଏସଇ ଏକାସଙ୍ଗେ ୨୬ଟି ଦେଶରେ ଥିବା ପ୍ରାୟ ୨୫ହଜାର ବିଦ୍ୟାଳୟକୁ ପରିଚାଳନା କରିଥାଏ । ଏହା ଅଧୀନରେ ଥିବା ବିଦ୍ୟାଳୟମାନଙ୍କରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୪ ନିୟୁତ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାଆନ୍ତି । ଉଚ୍ଚଶିକ୍ଷା ବିଭାଗ ଦେଶର ୫୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୪୯,୫୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ଏବଂ ୫୩୭ଟି ରାଜ୍ୟ (ଘରୋଇ) ଏବଂ ୪୩୭ଟି (ସରକାରୀ) ବିଶ୍ୱବିଦ୍ୟାଳୟର ପରିଚାଳନା ନିମନ୍ତେ ଦାୟିତ୍ୱ ମୁଣ୍ଡାଇଛି । ଏହିସବୁ ଅନୁଷ୍ଠାନ ଏବଂ ଏହା ସହିତ ଆଇ.ଆଇ.ଟି. ଭଳି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ୨୦୨୧-୨୨ ବର୍ଷରେ ପ୍ରାୟ ୪୦ ନିୟୁତ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ.ଟି.ଏ.) ଯାହାକି ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ରହିଛି, ଏହିସବୁ ଅନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶଙ୍କ ପାଇଁ ପରୀକ୍ଷା ପରିଚାଳନା କରିଥାଏ ଏବଂ ଏସବୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିପୁଳ ଦାୟିତ୍ୱ ବୋଝ ମଧ୍ୟରୁ ସ୍ୱଳ୍ପ ମାତ୍ର ।
ଯେଉଁ ବ୍ୟକ୍ତି ଏହିସବୁ କାର୍ଯ୍ୟକୁ ସାମଗ୍ରିକ ଭାବରେ ପରିଚାଳନା କରନ୍ତି ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକଥା ନୁହେଁ ଯେ, ଇତିପୂର୍ବରୁ କେବେ ଅନ୍ୟ ସରକାର ଏବଂ ମନ୍ତ୍ରୀମାନେ ଦାୟିତ୍ୱରେ ଥିବା ସମୟରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଘଟିନାହିଁ । ତେବେ ଗତ ଦୁଇମାସ ମଧ୍ୟରେ ନ୍ୟାସନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଅଣ୍ଡରଗ୍ରାଜୁଏଟ) ଅବା ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଘଟିଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମାର୍କସିଟ୍ରେ ‘ଭୁଲ୍ ମାର୍କ’ ଚଢ଼ିଛି- ଏଭଳି ଘଟଣା ଘଟିବାର କାରଣ ସମ୍ଭବତଃ ତରବରିଆ ଭାବରେ ଆହରଣ କରାଯାଇଥିବା ଡିଜିଟାଲ ମୂଲ୍ୟାୟନ ପଦ୍ଧତି ।
ତେବେ ଏଭଳି ଘଟଣା ପରେ ମୂଲ୍ୟାୟନ ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀମାନଙ୍କ ଆସ୍ଥା ହ୍ରାସପାଇଛି ବୋଲି କୁହାଯାଉଛି । ପୁନଃ ମୂଲ୍ୟାୟନ ସକାଶେ ହେଉଥିବା ଦାବି ସିବିଏସଇକୁ ବ୍ୟତିବ୍ୟସ୍ତ କରିପକାଇଛି । ଏହାର ତ୍ୱରିତ ଆବଶ୍ୟକତା ଏଥିପାଇଁ ଅନୁଭୂତ ହେଉଛି ଯେ, ଆଉ କେଇ ସପ୍ତାହ ଭିତରେ କଲେଜମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏଭଳି ଘଟଣା ଏବଂ ଏହାର ପ୍ରତିକାର ସ୍ୱରୂପ ସରକାର ତୁରନ୍ତ ସକ୍ରିୟତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ସିବିଏସଇର ଉଚ୍ଚ ପଦାଧିକାରୀମାନଙ୍କୁ ଦାୟିତ୍ୱରୁ ହଟାଯାଇଛି । ତେବେ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଉଛି ଯେ ‘ମନ୍ତ୍ରୀ ଶ୍ରୀ ପ୍ରଧାନ’ ସବୁ ଘଟଣା ପାଇଁ ନିଜେ ଦାୟୀ ହୁଅନ୍ତୁ ଏବଂ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ପ୍ରଶ୍ନ ଉଠେ, ଶ୍ରୀ ପ୍ରଧାନ କ’ଣ ଏଭଳି ସମସ୍ୟାର କାରଣ?
ଶ୍ରୀ ପ୍ରଧାନ ଦେଶର ପେଟ୍ରୋଲିୟମ ମନ୍ତ୍ରୀଭାବରେ ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଛନ୍ତି । ପ୍ରଥମେ ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ସ୍ୱାଧୀନ ଦାୟିତ୍ୱରେ ଥିଲେ ଏବଂ ପରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ (ମୋଟ୍ ଅବଧି ୨୦୧୪ ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ) । ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ସେ ଦୃଢ଼ତାର ସହିତ କହୁଥିଲେ ଯେ ବ୍ୟବସାୟରେ ସରକାରଙ୍କର ମୁଣ୍ଡ ଖେଳାଇବାର କୌଣସି କାରଣ ନାହିଁ ଏବଂ ସେ ହିଁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହାକି ଏହି କମ୍ପାନୀ ଉପରେ ସରକାରଙ୍କ ୫୨.୯% ଅଂଶଧନ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୨୦ ମସିହାରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ଏଥିରେ ପର୍ଯ୍ୟାପ୍ତ ସ୍ୱାର୍ଥ ନିହିତ ରହିଛି । ୨୦୨୨ ମସିହାରେ ଯେତେବେଳେ ଏଥିପାଇଁ ମାତ୍ର ଜଣେ ନିଲାମଧାରୀ ଆଗ୍ରହୀ ଥିବାର ଜଣାପଡ଼ିଥିଲା, ସରକାର ଏହି ପ୍ରକ୍ରିୟାକୁ ବନ୍ଦ୍ ରଖିଥିଲେ । ତାଙ୍କର ଉତ୍ତରାଧିକାରୀ ହରଦୀପ ପୁରୀ ଦେଶର ସବୁ ପ୍ରମୁଖ ତୈଳ କମ୍ପାନୀମାନଙ୍କ ଘରୋଇକରଣ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରିଦେଇଛନ୍ତି ।
ଶ୍ରୀ ପ୍ରଧାନଙ୍କୁ ୨୦୧୭ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ କୌଶଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହା ବିମୁଦ୍ରୀକରଣ ବ୍ୟବସ୍ଥା ପ୍ରବର୍ତ୍ତନର ଠିକ୍ ପରବର୍ତ୍ତୀ ସମୟର ଘଟଣା । ଏହା ଏପରି ଏକ କାଳଖଣ୍ଡ ଥିଲା, ଯେତେବେଳେ କିଛି ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଥିଲା ବିପର୍ଯ୍ୟୟ ଭଳି ଅବସ୍ଥା । ଏହା ପରେ ପରେ ଆସିଲା ବୈଶ୍ୱିକ ମହାମାରୀ କୋଭିଡ-୧୯, ଯାହାକି ଥିଲା ଆଉ ଏକ ବିରାଟ ଧକ୍କା ସହ ମୁକାବିଲା କରିବା ସଦୃଶ । ସେହି ସମୟରେ ଶ୍ରୀ ପ୍ରଧାନଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅନେକ ସଫଳତାରେ ଗୌରବମଣ୍ଡିତ ହୋଇପାରିଥିଲା । ପରେ ପରେ ୨୦୨୧ ମସିହାରେ ତାଙ୍କୁ ଶିକ୍ଷା ମନ୍ତ୍ରଣ।।ଳୟର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି ଯେ, ସିବିଏସଇ ପକ୍ଷରୁ ଜାରି କରାଯାଇଥିବା ତିନିଟି ଭାଷା ଅଧ୍ୟୟନ (ସେଥିରୁ ଦୁଇଟି ଭାରତୀୟ ଭାଷା ହୋଇଥିବା ବାଧ୍ୟତାମୂଳକ) ପଦ୍ଧତିକୁ କିପରି କାର୍ଯ୍ୟକାରୀ କରିବେ । ସେଥିରେ ପୁଣି ଶିକ୍ଷକଙ୍କ ଘୋର ଅଭାବ ସ୍ଥିତିରେ । ଏହି ନୀତି, ଯାହା ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ସମୀକ୍ଷା ପାଇଁ ରହିଛି, ଆସନ୍ତା ଜୁଲାଇ ମାସଠାରୁ ପ୍ରବର୍ତ୍ତନ କରିବାକୁ ସ୍ଥିର କରାଯାଇଛି ।
କିନ୍ତୁ ରାଜନୀତି କ୍ଷେତ୍ରରେ ଯଦି ଦେଖାଯାଏ, ତେବେ ଶ୍ରୀ ପ୍ରଧାନଙ୍କର ଉଲ୍ଲେଖନୀୟ ସଫଳତା ଜଳଜଳ ହୋଇ ଦୃଶ୍ୟମାନ । ସେ କେନ୍ଦ୍ର ଓଡ଼ିଶାର ତାଳଚେର ଅଞ୍ଚଳରୁ ଆସିଛନ୍ତି । ତାଙ୍କ ପିତା ଡକ୍ଟର ଦେବେନ୍ଦ୍ର ପ୍ରଧାନ ସକ୍ରିୟ ରାଜନୀତିରେ ଥିଲେ ଏବଂ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜଣେ ମନ୍ତ୍ରୀ ହୋଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ଛାତ୍ରାବସ୍ଥାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ସକ୍ରିୟ ରହିଥିଲେ ଏବଂ ତାଳଚେର କଲେଜରେ ନାମ ଲେଖାଇବା ପରେ ପ୍ରଥମ ବର୍ଷରେ ହିଁ ଛାତ୍ରସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
ଜଣେ ଯୁବ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀଭାବରେ କାର୍ଯ୍ୟ କରିବା ସେତେବେଳେ ଓଡ଼ିଶାରେ ଖୁବ୍ କଷ୍ଟସାଧ୍ୟ ଥିଲା । ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କର ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହିତ ସୁସମ୍ପର୍କ ଥିବା ଯୋଗୁଁ ରାଜ୍ୟରେ କ୍ଷମତାସୀନ ଦଳକୁ ବିଜେପି କଦାପି ସମାଲୋଚନା କରିପାରୁନଥିଲା । କିନ୍ତୁ ଦୃଢ଼ମନା ଲଢୁଆ ଧର୍ମେନ୍ଦ୍ରଙ୍କ ଲାଗି ସେପରି ସୁଯୋଗ ନଥିଲା ।
ଶ୍ରୀ ପ୍ରଧାନ ଜଣେ ବାକ୍ପଟୁ ନେତା ଅଥବା ପ୍ରଗଳ୍ଭ ବକ୍ତା ନହୋଇଥାଇ ପାରନ୍ତି । କିନ୍ତୁ ବାସ୍ତବ ରାଜନୀତିକୁ ବୁଝିବାରେ ସେ ବେଶ୍ ପାରଙ୍ଗମ ଏବଂ ତାଙ୍କର ସାଙ୍ଗଠନିକ ଦକ୍ଷତା ତାଙ୍କୁ ଦଳର ଜଣେ ସଚ୍ଚା କର୍ମୀ ଭାବେ ସୁପରିଚିତ କରିଛି । ବିଜେପି ପାଇଁ ସେ କର୍ଣ୍ଣାଟକ ଠାରୁ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିଛନ୍ତି ଏବଂ ତା’ ପୂର୍ବରୁ ହରିଆଣା ପାଇଁ ମଧ୍ୟ ସେହି ଦାୟିତ୍ୱ ନିର୍ବାହ କରିଥିଲେ । ଏହିସବୁ ରାଜ୍ୟରେ ବିଜେପିର ବିପୁଳ ବିଜୟ ପଛରେ ତାଙ୍କର ଶ୍ରମ ଓ ସୁଚିନ୍ତିତ ରଣନୀତି ଅବଶ୍ୟ ଥିଲା । ନିଜ ରାଜ୍ୟରେ ଏପରି କୌଣସି ଜଣେ ଦଳୀୟ କର୍ମୀ ନାହାଁନ୍ତି, ଯାହାଙ୍କୁ ସେ ତାଙ୍କର ନାଆଁରେ ଚିହ୍ନିନାହାଁନ୍ତି । ଯେଉଁମାନେ ବିଦ୍ରୋହୀ ହୋଇଛନ୍ତି ସେମାନଙ୍କର ନାଁ ମଧ୍ୟ ତାଙ୍କ ଜିଭ ଅଗରେ ରହିଛି । ଏପରିକି ପ୍ରଥମେ ସେମାନଙ୍କ ନାମକୁ ହଟାଇବାରେ ତାଙ୍କର ଭୂମିକା ଥିଲେ ସୁଦ୍ଧା, ସେହି ବିଦ୍ରୋହୀଙ୍କ ସହିତ ଭାବ ବିନିମୟ କରିବାରେ ତାଙ୍କ ମନରେ କେତେବେଳେ ଦ୍ୱିଧା ପରିଲକ୍ଷିତ ହୋଇ ନଥାଏ ।
ତାଙ୍କ ମନ୍ତ୍ରଣାଳୟରେ ଏତେସବୁ ବିବାଦ ଉପୁଜିବା ପରେ ମଧ୍ୟ, ଶ୍ରୀ ପ୍ରଧାନଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇ ନିଜକୁ ପୁନଃପ୍ରତିଷ୍ଠିତ କରିବାକୁ ପଡ଼ିବ । ତାଙ୍କପାଇଁ ଗୋଟିଏ ବିକଳ୍ପ ହେଉଛି ପରବର୍ତ୍ତୀ ପର୍ଯ୍ୟାୟର ଅବସ୍ଥାପନ । କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କ ହାତରେ ନାହିଁ ।