ମୁମ୍ବାଇ,୨/୪ : କୁହାଯାଏ କଳାର ମୂଲ୍ୟାଙ୍କନ କରିବା ସହଜ ନୁହେଁ। ଟଙ୍କା ଦେଇ କେବେ କଳାକୁ କିଣି ହୁଏ ନାହିଁ । ଜଣେ କଳାକାରର ଦାମ୍ ଦୁନିଆରେ ସବୁଠୁ ଅଧିକ । ଆଜି ସେଭଳି କିଛି ଚିତ୍ର ନଜରକୁ ଆସିଛି ମୁମ୍ବାଇରୁ । ଏକ ଇଭେଣ୍ଟରେ ସ୍ଥାନ ପାଇଥିବା ପେଣ୍ଟିଂକୁ ନେଇ ଏବେ ଚର୍ଚ୍ଚା । ମୁମ୍ବାଇରେ ଏକ ସାଫ୍ରୋନଆର୍ଟ ନିଲାମରେ ରାଜା ରବି ବର୍ମାଙ୍କ ପେଣ୍ଟିଂ ବିକ୍ରି ହୋଇଛି । ଯାହା ଦାମ୍ ୧୬୭.୨କୋଟି । ଯଶୋଦା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର ସେଥିରେ ସ୍ଥାନ ପାଇଛି । ଏହି ନିଲାମରେ ସାଇରସ୍ ଏସ୍ ପୁନାୱାଲା ପେଣ୍ଟିଂଟିକୁ କିଣିଛନ୍ତି । ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଅନୁସାରେ, ପେଣ୍ଟିଂଟି ୮୦ ରୁ ୧୨୦କୋଟି ଟଙ୍କା ମଧ୍ୟରେ ବିକ୍ରି ହେବ ବୋଲି ଅନୁମାନ କରାଯାଇଥିଲା। ମାତ୍ର ଏହାଠାରୁ ବେଶ୍ ଅଧିକ ଦାମରେ ଏହା ବିକ୍ରି ହେଲା । ଯାହା ଭାରତୀୟ ପେଣ୍ଟିଂ ଅକ୍ସନ ଇତିହାସରେ ସବୁଠୁ ଅଧିକ ବୋଲି କୁହାଯାଉଛି ।
ଏହି ପେଣ୍ଟିଂକୁ ସାଇରସ୍ ଏସ୍ ପୁନାୱାଲା କିଣିଛନ୍ତି । ସାଇରସ୍ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ । ୧୯୬୬ରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ହୋଇଥିଲାବେଳେ ଏହାର ମୁଖ୍ୟାଳୟ ପୁଣେରେ ରହିଛି । ତାଙ୍କୁ ବିଶ୍ୱ ସମ୍ପତ୍ତି ଲିଷ୍ଟରେ ତାଲିକାଭୁକ୍ତ କରାଯାଇଛି । ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟରେ ୨୦୨୩ରେ ତାଙ୍କୁ ସବୁଠାରୁ ଧନୀ ସ୍ୱାସ୍ଥ୍ୟସେବା କୋଟିପତି ଭାବେ ଚିହ୍ନଟ କରାଯାଇଥିଲା ।
୨୦୨୪ ମସିହାରେ, ତାଙ୍କ ପରିବାର ୨୨.୧ବିଲିୟନ ଡଲାର ସମ୍ପତ୍ତି ସହ ଫୋବର୍ସ ଲିଷ୍ଟରେ ଭାରତର ୧୦୦ଜଣ ଧନୀ ତାଲିକାରେ ନବମ ସ୍ଥାନରେ ଥିଲେ। ସେହିଭଳି ୨୦୨୬ମସିହାରେ ହୁରୁନ୍ ଧନୀ ତାଲିକା ଏହି ପରିବାରକୁ ଭାରତର ଚତୁର୍ଥ ଧନୀ ଭାବରେ ସ୍ଥାନ ଦେଇଥିଲା। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟର ଅଫ୍ ସାଇନ୍ସ ଡିଗ୍ରୀ ପାଇଛନ୍ତି। ଭାରତ ସରକାର ତାଙ୍କୁ ୨୦୦୫ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୨ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ପୁଅ, ଆଦର ପୁନାୱାଲା, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଟନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଛନ୍ତି, ଏହି ପେଣ୍ଟିଂଟିକୁ ସଂରକ୍ଷଣ କରିବାକୁ ଏବଂ ଏହାକୁ ସାଧାରଣ ଦର୍ଶନ ପାଇଁ ସମୟ ସମୟରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛନ୍ତି।
ସୂଚନା ଅନୁସାରେ, ଏହି ଯଶୋଦା ଏବଂ ଶ୍ରୀକୃଷ୍ଣଙ୍କ ପେଣ୍ଟିଂଟି ୧୮୯୦ଦଶକରେ ନିର୍ମିତ ହୋଇଥିଲା । ଏଥିରେ ଯଶୋଦା ଗାଈଠାରୁ କ୍ଷୀର ଆଣୁଥିବାବେଳେ ଶିଶୁ କୃଷ୍ଣ ପଛରୁ କ୍ଷୀର ପାନ ପାତ୍ର ସହ ହାତ ବଢାଇ ଦେଉଛନ୍ତି । ରାଜା ରବି ବର୍ମା ଏହାକୁ ଚିତ୍ରରେ ସ୍ଥାନ ଦେଇଥିଲାବେଳେ ସେ ଜଣେ ଭାରତୀୟ ଚିତ୍ରକର ଥିଲେ । ଯାହାଙ୍କର ଜନ୍ମ ୧୮୪୮ ମସିହାରେ ବର୍ତ୍ତମାନର କେରଳରେ ହୋଇଥିଲା। ସେ ତୈଳ ଚିତ୍ର କୌଶଳ ବ୍ୟବହାର କରି ଭାରତୀୟ ପୌରାଣିକ ବିଷୟ ଗୁଡ଼ିକୁ ଚିତ୍ରିତ କରିବା ପାଇଁ ବେଶ୍ ଜଣାଶୁଣା । ଯାହା ସେତେବେଳେ ୟୁରୋପୀୟ ଶିକ୍ଷାଗତ କଳା ସହିତ ଜଡ଼ିତ ଏକ ପଦ୍ଧତି ଥିଲା। ୧୯୦୬ ମସିହାରେ ରାଜା ରବି ବର୍ମାଙ୍କ ମୃତ୍ୟୁ ହୋଇଥିଲା ।