ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯକୁକ୍ତକୁ ପୋଲିସ ଗିରଫ କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ସେ ପପୁ ଯାଦବଙ୍କୁ ଧମକପୂର୍ଣ୍ଣ ମେସେଜ୍‌ କରିଥିଲା । କିନ୍ତୁ ସେ କୌଣସି ଗ୍ୟାଙ୍ଗର ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ଜଣକ ୟୁଏଇ ନମ୍ବରରେ ଓ୍ବାଟସଆପ୍‌ରେ ପପୁ ଯାଦବଙ୍କୁ ମେସେଜ୍‌ କରି ଧମକ ଦେଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ପୂର୍ଣ୍ଣିଆର ଏସପି କାର୍ତ୍ତିକେୟ କେ ଶର୍ମା ଶନିବାର ସୂଚନା ଦେଇଛନ୍ତି । 

ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଉଥିବା ନେଇ ଖବର ପ୍ରଚାରିତ ହେଉଥିଲା । ଏନେଇ ଜଣାପଡ଼ିବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହା ପରେ ଯେଉଁ ଲୋକ ପପୁ ଯାଦବଙ୍କୁ ଧମକ ଦେଉଥିଲା ତା ନାଁ ମହେଶ ପାଣ୍ଡେୟ ହୋଇଥିବା ବେଳେ ସେ ଦିଲ୍ଲୀର ବାସିନ୍ଦା । ଦିଲ୍ଲୀରୁ ତାକୁ ଗିରଫ କରାଯିବା ସହ ପଚରା ଉଚରା କରିବା ପରେ ସେ ସତ ମାନିଥିଲା ବୋଲି ଏସପି କାର୍ତ୍ତିକେୟ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଅଭିଯୁକ୍ତ ମହେଶ ଅନେକ ସାଂସଦ ଏବଂ ବିଧାୟକଙ୍କ ଘରେ ରହି କାର୍ଯ୍ୟ କରିଛି । କିଛି ଦିନ ପୂର୍ବରୁ ସେ ୟୁଏଇ ବୁଲିବାକୁ ଯାଇଥିଲା । ୟୁଏଇରେ ରହୁଥିବା ତା’ ଶାଳୀ ନାଁରେ ଏକ ସିମ୍‌ କାର୍ଡ କିଣିଥିଲା ମହେଶ ।  ସେଠାରେ ରହିଥିବା ପର୍ଯ୍ୟନ୍ତ ମହେଶ ଏହି ସିମ କାର୍ଡ ବ୍ୟବହାର କରିଥିଲା । ଭାରତ ଆସିବା ପରେ ଏହି ସିମ୍‌ ନମ୍ବରରେ ଏକ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଖୋଲିଥିଲା । ଏହି ସମୟରେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ଉପରେ ପପୁ ଯାଦବଙ୍କ ପ୍ରତିକ୍ରିୟା ଶୁଣିବାକୁ ପାଇଥିଲା ମହେଶ ଏବଂ ତାଙ୍କୁ ଧମକ ଦେଇଥିଲା । ପୋଲିସ ମହେଶ ପାଖରୁ ସିମ୍‌ ଏବଂ ମୋବାଇଲ୍‌ ଜବତ କରିଛି । ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ମହେଶର କୌଣସି ସଂପର୍କ ନାହିଁ ବୋଲି ପୋଲିସ କହିଛି ।