ନୂଆଦିଲ୍ଲୀ ୨୪/୦୨: ୭୯ତମ ବାଫ୍ଟା (ବ୍ରିଟିଶ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଆୱାର୍ଡସ)ରେ ଇତିହାସ ରଚିଛି ମଣିପୁରୀ ଫିଲ୍ମ ‘ବୁଙ୍ଗ୍’ । ଚଳିତ ବର୍ଷର ଏହି ସମ୍ମାନାସ୍ପଦ ସମାରୋହରେ ବିଜେତା ହୋଇଥିବା ଏହା ଏକମାତ୍ର ଭାରତୀୟ ଫିଲ୍ମ । ଲଣ୍ଡନର ରୟାଲ ଫେଷ୍ଟିଭାଲ୍ ହଲ୍ରେ ଆୟୋଜିତ ବାଫ୍ଟା ଉତ୍ସବରେ ଫିଲ୍ମକୁ ଶ୍ରେଷ୍ଠ ଶିଶୁ ଓ ପାରିବାରିକ ଚଳଚ୍ଚିତ୍ର ବିଭାଗରେ ଏହି ସମ୍ମାନ ମିଳିଛି । କେବଳ ମଣିପୁରୀ ସିନେମା ପାଇଁ ଏହା ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ ମଞ୍ଚରେ ଭାରତର ଚମତ୍କାର ଆଞ୍ଚଳିକ କାହାଣୀର ଉଦାହରଣ । ଏହି ମାନ୍ୟତା ମଣିପୁର ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ, କାରଣ ଆଗଧାଡ଼ିର ଭାରତୀୟ ସିନେମାରେ ଏ ରାଜ୍ୟର କଳାତ୍ମକ ଯୋଗଦାନକୁ ସର୍ବଦା ଅଣଦେଖା କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମର ଟିମ୍କୁ ଅଭିନନ୍ଦନ ଜଣାଇ ଏକ୍ସ ପ୍ଲାଟ୍ଫର୍ମରେ ଲେଖିଛନ୍ତି ‘ଫିଲ୍ମ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ । ଏହା ବାସ୍ତବରେ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ, ଖାସ୍କରି ମଣିପୁର ପାଇଁ । ଆମ ଦେଶର ସୃଜନାତ୍ମକ ପ୍ରତିଭା ସମ୍ଭାରକୁ ମଧ୍ୟ ଏହା ଦର୍ଶାଉଛି ।’ ଫିଲ୍ମର ନିର୍ମାତା ଏକ୍ସେଲ ଏଣ୍ଟରଟେନ୍ମେଣ୍ଟର ରିତେଶ ସିଧୱାନୀ ଓ ସହ-ନିର୍ମାତା ଫରହାନ ଅଖତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଘରେ ସ୍ୱପ୍ନ ଦେଖୁଥିବା ଓ କାହାଣୀ ରଚନା କରୁଥିବା ଲୋକଙ୍କ ପାଇଁ ଏହି ସମ୍ମାନ ପ୍ରେରଣାର ଉତ୍ସ ବୋଲି ଫରହାନ କହିଛନ୍ତି ।
ଆହୁରି ପଢ଼ନ୍ତୁ...ସମସ୍ତଙ୍କ ସାମ୍ନାରେ ନିଜର ବ୍ୟକ୍ତିଗତ କଥା କହି ଦେଲେ ଅକ୍ଷୟ କୁମାର, କ୍ରସ୍ ସହ ଥିବା ସଂପର୍କ ବିଷୟରେ ଜଣାଇଲେ
ବାଫ୍ଟା ସମ୍ମାନ ଭାରତର ବିବିଧ ଭାଷାଗତ ଓ ସାଂସ୍କୃତିକ ଭୂଖଣ୍ଡରେ ସନ୍ନିହିତ କାହାଣୀକୁ ଅନ୍ତର୍ଜାତୀୟ ମାନ୍ୟତା ଦେଇଛି । ଲକ୍ଷ୍ମୀପ୍ରିୟା ଦେବୀ ‘ବୁଙ୍ଗ୍’ର କାହାଣୀ ରଚନା ସହିତ ନିର୍ଦ୍ଦେଶନା ଦେଇଛନ୍ତି । ପୁରସ୍କାର ଗ୍ରହଣ କରି ଲକ୍ଷ୍ମୀପ୍ରିୟା ମଣିପୁର ଅଶାନ୍ତି ସମ୍ପର୍କରେ ଆଲୋକପାତ କଲେ । ରାଜ୍ୟରେ ଶାନ୍ତି ସ୍ଥାପନା ଲାଗି ଏହି ମଞ୍ଚରୁ ସେ ସମସ୍ତଙ୍କୁ ଅନୁରୋଧ କଲେ । ‘ବୁଙ୍ଗ୍’ ବିଷୟରେ ବର୍ଣ୍ଣନା କରି ଲକ୍ଷ୍ମୀପ୍ରିୟା କହିଲେ, ମଣିପୁରୀରେ ଏହି ଶୀର୍ଷକର ଅର୍ଥଛୋଟ ବାଳକ । ପ୍ରେମ, ଆଶା ଓ ଆକାଂକ୍ଷାର ଏହା ଏକ ସରଳ ଓ ଭାବପୂର୍ଣ୍ଣ କାହାଣୀ।