ପାଟନା, ୧୫/୧୧ : ମନ୍ତ୍ରୀ ଥିବା ବେଳେ ଲାଗିଥିଲା କଳଙ୍କ। ବହୁ ନୀରିହ ଝିଅଙ୍କ ଇଜ୍ଜତ ସହ ଖେଳିଥିବା ଅଭିଯୁକ୍ତଙ୍କ ସହ ଥିଲା ସିଧାସଳଖ ସମ୍ପର୍କ । ମୁଣ୍ଡାଇଥିଲେ ମୁଜାଫରପୁର ସେଲ୍ଟର ହୋମ୍ ଦୁଷ୍କର୍ମ ଘଟଣାର ଅପବାଦ। ଏପରିକି ବିବାଦ ବଢିବା ପରେ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ ନୀତିଶ କୁମାର। ୨୦୨୦ ନିର୍ବାଚନରେ ଲଢି ପରାଜୟ ବରଣ କରିଥିଲେ ବିହାର ସରକାରର ପୂର୍ବତନ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା। ତେଣୁ ଏଥର ନିଜେ ନିର୍ବାଚନ ନଲଢି ପୁଅକୁ ଠିଆ କରାଇଥିଲେ ମଞ୍ଜୁ। ୨୦୨୫ ବିଧାନସଭା ନିର୍ବାଚନରେ ଚେରିଆ ବରିଆରପୁର ସିଟ୍ରେ ବାଜି ମାରିଛନ୍ତି ଅଭିଷେକ ଆନନ୍ଦ।
ଘଟଣାଟି ହେଉଛି ୨୦୧୮ ମସିହାର। ବିହାର ମୁଜାଫରପୁର ସେଲ୍ଟର ହୋମ୍ରେ ୩୪ ଝିଅଙ୍କ ସହ କରାଯାଉଥିଲା ଦୁଷ୍କର୍ମ ଏବଂ ମାରପିଟ୍। ନୃଶଂସତାର ସବୁ ସୀମା ଟପି ଯାଇଥିଲେ ନରରାକ୍ଷସ। ଆଶ୍ରୟ ଦେଇ ଲୁଟୁଥିଲେ ଇଜତ୍। ବିରୋଧ କଲେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ମୁହଁ ଖୋଲିଲେ ସବୁଦିନ ପାଇଁ ବନ୍ଦ କରି ଦିଆଯାଉଥିଲା ମୁହଁ। ଚିକିତ୍ସା କରିବା ଆଳରେ ଝିଅମାନଙ୍କ ସହ ଜବରଦସ୍ତି କରୁଥିଲେ ଡାକ୍ତର। ବାଳିକା ଗୃହ ପାଲଟିଥିଲା ରଙ୍ଗଶାଳା। ସର୍ଟ ଡ୍ରେସ୍ ପିନ୍ଧି ଭୋଜପୁରୀ ଗୀତରେ ନାଚିବା ପାଇଁ ବାଧ୍ୟ ହେଉଥିଲେ ଛୋଟ ଛୋଟ ଝିଅମାନେ। ମନ ଭରିବା ପାଇଁ ନାବାଳିକା ସହ କରାଯାଉଥିଲା ଦୁଷ୍କର୍ମ। ୨୦୧୮ ମେ ମାସରେ ଏହି ଘଟଣା ଉପରୁ ପରଦା ହଟାଇଥିଲା ଟାଟା ଇନଷ୍ଟିଚ୍ୟୁଟ୍ ସୋସିଆଲ ସାଇନ୍ସେସ୍ର ଏକ ଟିମ୍। ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ବଦନାମ୍ ହୋଇଥିଲା ନୀତିଶ ସରକାର।
ସରକାରଙ୍କ ଛତ୍ରଛାୟା ତଳେ ସରକାରୀ ଅନୁଦାନରେ ବ୍ରଜେଶ୍ ଠାକୁର ଏହି ସେଲ୍ଟର ହୋମ୍ ଚଳାଉଥିଲା । ଏଠାରେ ୪୪ ଝିଅ ରହୁଥିଲେ। ଯାଞ୍ଚ ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୪ ଝିଅଙ୍କ ସହ ଦୁଷ୍କର୍ମ ଏବଂ ମାରପିଟ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ବିହାର ସରକାର ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏଥିରେ ବ୍ରଜେଶ ଠାକୁର ସହ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଫଆଇଆରରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଛୋଟ ପିଲାଙ୍କ ସହ କ୍ରୁରତା ଏବଂ ପୋସ୍କୋ ଆକ୍ଟ ଭଳି ଧାରା ଲଗାଯାଇଥିଲା। ଜୁନ୍ ୩ ତାରିଖରେ ପୁଲିସ ବ୍ରଜେଶ ଠାକୁରକୁ ଗିରଫ କରିଥିଲା। ଏପରିକି ବ୍ରଜେଶ ଏକ ୩ ବର୍ଷର ଶିଶୁ ସହ ବି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଥିଲା।
ସେତେବେଳେ ବ୍ରଜେଶର ୩ଟି ପତ୍ରିକାକୁ ବିହାର ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ଥିଲା। ହିନ୍ଦୀ ଖବର କାଗଜ ପ୍ରାତଃ କମଳକୁ ପ୍ରତି ବର୍ଷ ୩୦ ଲକ୍ଷ ସରକାରୀ ବିଜ୍ଞାପନ ମିଳୁଥିଲା। ସେଲ୍ଟର ହୋମ୍ ଚାପ ପଡ଼ିବା ପରେ ସରକାର ୩ଟି ପତ୍ରିକାକୁ ବ୍ୟାନ୍ କରିଦେଲେ। ସେହି ସମୟରେ ମଧ୍ୟପୁରାର ସାଂସଦ ପପୁ ଯାଦବ ଏହି ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ। ଏହାପରେ ଗୃହ ମନ୍ତ୍ରୀ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସିବିଆଇକୁ ଛାନଭିନ୍ ବେଳେ ନୀତିଶ ସରକାରରେ ଥିବା ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ଵାମୀ ଚନ୍ଦେଶ୍ଵର ବର୍ମାଙ୍କ ସହ ବ୍ରଜେଶ୍ର ଲିଙ୍କ୍ ସାମ୍ନାକୁ ଆସିଥିଲା। ଯେଉଁଥି ପାଇଁ ବାଧ୍ୟରେ ମଞ୍ଜୁ ବର୍ମାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହି ମଧ୍ୟରେ ସିବିଆଇ ଚନ୍ଦେଶ୍ଵର ଓ ମଞ୍ଜୁ ବର୍ମାଙ୍କ ଅନେକ ଠିକଣାରେ ରେଡ୍ କରିଥିଲା। ଚଢାଉ ବେଳେ ବହୁ ଅବୈଧ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଦୁହିଁଙ୍କ ବିରୋଧରେ ଆର୍ମସ୍ ଆକ୍ଟ ମାମଲା ଲାଗୁ ହୋଇଥିଲା। ଏବେ ମଞ୍ଜୁ ବର୍ମା ଓ ସ୍ଵାମୀ ଚନ୍ଦେଶ୍ଵର ଜାମିନରେ ଅଛନ୍ତି। ମାମଲା ଥଣ୍ଡା ପଡ଼ିବା ପରେ ୨୦୨୦ରେ ମଞ୍ଜୁ ବର୍ମା ପୁଣି ଥରେ ବେଗୁସରାୟର ଚେରିଆ ବରିଆରପୁର ସିଟ୍ରୁ ଜେଡିୟୁ ଟିକଟରେ ନିର୍ବାଚନ ଲଢିଥିଲେ। ହେଲେ ସେ ହାରି ଯାଇଥିଲେ। ଏବେ ପୁଣି ଥରେ ଚେରିଆ ବରିଆରପୁର ଆସନ ଦଖଲ ଲକ୍ଷ୍ୟରେ ଜେଡିୟୁ ମଞ୍ଜୁ ବର୍ମାଙ୍କ ପୁଅ ଅଭିଷେକ ଆନନ୍ଦକୁ ଟିକଟ ଦେଇଥିଲା। ଅଭିଷେକ ୩୯୬୧ ଭୋଟ୍ରେ ଆରଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଛନ୍ତି। ଏବେ ସବୁଠୁ ବଡ଼ କଥା ହେଲା ଅଭିଷେକ ଆନନ୍ଦ ବିଧାୟକ ହୋଇ ନିଜ ପରିବାର ଉପରେ ଲାଗିଥିବା ସେଲ୍ଟର ହୋମ୍ କଳଙ୍କ ଛଡ଼ାଇ ପାରିବେ ନା ନିଜେ ପୁଣି ନୂଆ ବିବାଦ ମୁଣ୍ଡାଇବେ।