ନୀଳଗିରି,୩୦/୦୫(ବ୍ରଜକିଶୋର ପାଣି): ଶିମିଳିପାଳ, କୁଲଡିହା ଜଙ୍ଗଲରେ ଶହ ଶହ ବର୍ଷ ଧରି ରହିଆସୁଥିବା ଅତି ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ମାଙ୍କିଡ଼ିଆଙ୍କ ପାଇଁ ଜଙ୍ଗଲ ଏବେ ପର ହୋଇଗଲାଣି । ବ୍ୟାଘ୍ର ପ୍ରକଳ୍ପ ଓ ଅଭୟାରଣ୍ୟ ଆଇନ୍‌ କଟକଣା ଯୋଗୁଁ ନୀଳଗିରି ତହସିଲର ଛତ୍ରପୁର ଗାଁରେ ଥଇଥାନ ହୋଇଛନ୍ତି ଏହି ଯାଯାବର ଗୋଷ୍ଠୀ । ମାଙ୍କଡ଼ ଧରିବା ଓ ଶିଆଡ଼ିଲତାରୁ ଦଉଡ଼ି ତିଆରି ଏମାନଙ୍କ ପାରମ୍ପରିକ ଜୀବିକା । “ତଣ୍ଡା’ ନାମକ ଛୋଟ ଗୋଷ୍ଠୀରେ ରହି ପତ୍ରର “କୁମ୍ଭା’ ଘରେ ଏମାନେ ଦିନ କାଟୁଥିଲେ । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ମାତ୍ର ୨୨୨୨ ଥିଲା । ହେଲେ ଏବେ ଏହା ୧୦ ହଜାରକୁ ଛୁଇଁଲାଣି ।

ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ଲାଗୁ ହେବା ପରେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସେମାନଙ୍କ ପାଇଁ ସଂଗ୍ରହ ବନ୍ଦ ହୋଇଗଲା । ଶିଆଡ଼ିଲତା, ମହୁ, ସବାଇ ଘାସ ସଂଗ୍ରହ ଉପରେ କଟକଣା ଲାଗିଲା । ଛତ୍ରପୁର ଗାଁର ସାଇବୁ ମାଙ୍କିଡ଼ିଆ କୁହନ୍ତି, “ଜଙ୍ଗଲ ଆମ ମା’ । ଶିଆଡ଼ି ନ ପାଇଲେ ଦଉଡ଼ି ତିଆରି କରିବୁ କେମିତି? ପିଲାଙ୍କୁ ଖୁଆଇବୁ କ’ଣ? ତାଙ୍କର କହିବା ଅନୁସାରେ ବନ ଦେବତା ତାଙ୍କୁ ସୁନାଥଳି ବଦଳରେ ଯାଦୁକରୀ ଦଉଡ଼ି ଦେଇଥିଲେ । ସେହି ଦଉଡ଼ିରେ ଶକ୍ତି ଥିଲା ମାଙ୍କଡ଼ ଧରିବା, ଆହତ ପଶୁଙ୍କୁ ଭଲ କରିବା, ଖରାପ ଆତ୍ମାକୁ ଘଉଡ଼ାଇବା । ଆଜିବି ଶିଆଡ଼ି ଦଉଡ଼ି ସେମାନଙ୍କର ପରିଚୟ ହୋଇ ରହିଛି । ସୂଚନାରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଛତ୍ରପୁରସ୍ଥତି ମାଙ୍କଡିଆ । ବସ୍ତିରେ ପୂର୍ବରୁ ୩୦ଟି ମାଙ୍କଡିଆ । ପରିବାର ରହୁଥିବା ବେଳେ ଏବେ ୬୦ରୁ ଊଦ୍ଧ୍ୱର୍ ହେଲେଣି । ଏଠାରେ ରହୁଥିବା ମାଙ୍କିଡ଼ିଆ କୁହନ୍ତି ଜଙ୍ଗଲ ଆଇନ ଓ କଟକଣା ଆମ ରୋଜଗାର ଛଡ଼ାଇ ନେଇଛି । ଦିନେ ଆମେ ଜଙ୍ଗଲରେ ରାଜା ଥିଲୁ । ଆମର ବାପା ଦାଦା ଜଙ୍ଗଲରେ ରହୁଥିଲେ । ଜଙ୍ଗଲରେ ପତ୍ରର କୁମ୍ଭା ଘର ଥିଲା । ମାଙ୍କଡ଼ ଶିକାର କରି ମଧ୍ୟ ଖାଉଥିଲୁ । ଜଙ୍ଗଲରୁ ଶିଆଡ଼ି ଲତା ଆଣି ସେଥିରୁ ଦଉଡ଼ି ବୋଳିବା ସହ ଶିକା, ପଘା, ବିଭିନ୍ନ ସରଞ୍ଜାମ କରୁଥିଲୁ । ଶିଆଡ଼ିରେ ନିର୍ମିତ ସାମଗ୍ରୀର ଚାହିଦା ବହୁତ ଅଧିକ ଥିଲା । ହେଲେ ବନ ବିଭାଗ କଟକଣା ପାଇଁ ଜଙ୍ଗଲକୁ ଯାଇ ନହେବାରୁ ସିମେଣ୍ଟ ବୁରାକୁ ଆଣି ସେଥିରୁ ଏହି ସାମଗ୍ରୀ କରି ଚଳି ଆସୁଛୁ । ପରିବାର ପେଟ ପୋଷିବା ପାଇଁ କିଏ ଶ୍ରମିକ ଭାବେ କାମ କରୁଛି ତ ଆଉ କିଏ ମହୁ ସଂଗ୍ରହକୁ ଆପଣାଇ ନେଇଛନ୍ତି ।

ଛତ୍ରପୁର ଠାରେ ମାଙ୍କିଡ଼ିଆ ସାହି ରହିଛି, ହେଲେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିନାହିଁ । ଗାଁରେ ଗୋଟିଏ ବି ନଳକୂପ ନାହିଁ । ପାଇପ୍‌ ପାଣି ସଠିକ୍‌ ସମୟରେ ଆସୁନାହିଁ । ଗାଁରେ ଥିବା କୂଅ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି । ଅନେକ ସମୟରେ ଏହି ପାଣି ପିଇ ଝାଡ଼ାବାନ୍ତି ମଧ୍ୟ ହେଉଛି । ପାହାଡ଼ ମୂଳରେ ମାଙ୍କିଡିଆ ବସ୍ତି ଥିବାବେଳେ ବର୍ଷା ହେଲେ ପାଣି ଗାଁରେ ଥିବା ଘର ଭିତରକୁ ପଶିଯିବାରୁ ନାହିଁଥିବା ହଇରାଣ ହୁଅନ୍ତି । ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ ଅନେକଙ୍କ ଅକାଳରେ ଜୀବନ ହାନି ହୋଇଥିବା ଅଭିଯୋଗ ଉଠିଛି । ଏବେ ପେଟ ପୋଷିବା ପାଇଁ ଅନେକ ଯୁବକ ଗାଁ ଗାଁରେ ବୁଲି ମହୁଫେଣା ଭାଙ୍ଗି ମହୁ ସଂଗ୍ରହ କରି ବିକିଥାନ୍ତି । ମାଙ୍କଡ଼କୁ ବଶକରି ଜାଲ ବିଛାଇ ଧରିବା କୌଶଳ ପାଇଁ କେଉଁଠି ମାଙ୍କଡ଼ ଉପଦ୍ରବ କରିଲେ ତାଙ୍କୁ ଡାକରା ହେଉଥିଲା । ହେଲେ ଆଉ ତାହା ମଧ୍ୟ ହେଉନାହିଁ ।

ତେବେ ଜଙ୍ଗଲ କଟକଣା କୋହଳ କରି ଶିଆଡ଼ିଲତା ସଂଗ୍ରହ କରିବାକୁ ଅନୁମତି ଦେଲେ ହୁଏତ ପୁରୁଣା କୌଳିକ ବୃତ୍ତି ଫେରି ଆସିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେହି ମାଙ୍କିଡିଆ ସାହିର ଗୌର ଖେରଓୟାଳ, ଟୁକୁଲୁ ମାଙ୍କିଡିଆ, ଗୁଡ଼ଲି ଖେରଓୟାଳ, ପାଣିଗିରି ଖେରଓୟାଳ, ସନ୍ତୋଷ ଖେରଓୟାଳ ପ୍ରମୁଖ କହିଛନ୍ତି । କେବଳ ସେତକ ନୁହଁ³ ପକ୍କାଘର ସହ ପାହାଡ଼ ମୂଳରେ ବଡ଼ ଡ୍ରେନ ନିର୍ମାଣ କଲେ ଗାଁର ଦୁରବସ୍ଥା ସ୍ୱାଭାବିକ ହୋଇପାରିବ । ବିଶେଷଜ୍ଞଙ୍କ ମତରେ ପରମ୍ପରା ଓ ଆଧୁନିକତା ଭିତରେ ସନ୍ତୁଳନ ହିଁ ମାଙ୍କିଡିଆଙ୍କୁ ବଞ୍ଚେଇ ପାରିବ । ନଚେତ ୨ ହଜାର ବର୍ଷର ସଂସ୍କୃତି ୨୦ ହଜାର ମାଙ୍କିଡିଆ ଲୋକଙ୍କ ସହ ହଜିଯିବ । ସରକାରଙ୍କ ଶୁଭଦୃଷ୍ଟି ନପଡ଼ିଲେ ଏହି ବିରଳ ଜାତି ଓ ତାଙ୍କର କୌଳିକ ବୃତ୍ତି ଦିନେ ବିଲୁପ୍ତ ହୋଇଯିବ । ତେବେ ଏହି ସମସ୍ୟା ନେଇ ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ନିଜେ ଏହି ଗାଁକୁ ଯାଇ ସ୍ଥିତି ପରଖିବା ସହିତ ସରକାରୀ ଯୋଜନା କିଭଳି ପାଇ ପାରିବେ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ- Govt Employees: ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ, ଜୁନ୍‌ ୩୦ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ