ଭୁବନେଶ୍ୱର,୨୨/୧୨; ବିଜେପି ବିଜେଡି ଗଡ଼ ଭିତରେ ଧସେଇ ପଶୁନି, ସେମାନେ ତାଙ୍କ ସଂଗଠନ ରକ୍ଷା କରନ୍ତୁ । ବିରୋଧୀ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ଶକ୍ତିଶାଳୀ ହେବ । ଆମେ ଚାହୁଁଛୁ ସେମାନେ ବି ଶକ୍ତିଶାଳୀ ହୁଅନ୍ତୁ । ବିଜେଡି ନେତାଙ୍କୁ ଚାପ ପକାଇ ବିଜେପିରେ ସାମିଲ କରିବା ଅଭିଯୋଗକୁ ନେଇ ଏମିତି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ବିଜେଡି ନେତାଙ୍କୁ ଚାପ ପକାଇ ଦଳରେ ସାମିଲ କରିବା ଅଭିଯୋଗକୁ ଗଣ୍ଡନ କରି ମନମୋହନ ସାମଲ କହିଛନ୍ତି, ''ଆମେ କେଉଁ ଗଡ଼ରେ ଧସେଇ ପଶୁନାହୁଁ । ତାଙ୍କ ଗଡ଼ରେ ଆମେ ପଶୁନାହୁଁ । ସେମାନେ ତାଙ୍କ ସଂଗଠନକୁ ଶକ୍ତିଶାଳୀ କରି ରଖନ୍ତୁ । ଆମେ ବି ଚାହୁଁଛୁ ଓଡ଼ିଶାରେ ବିରୋଧୀ ଦଳ ଶକ୍ତିଶାଳୀ ହେଉ ।  ଯେଉଁମାନେ ଚାହୁଁଛନ୍ତି ଆମକୁ ଯୋଗାଯୋଗ କରୁଛନ୍ତି ଆମେ ନିଷ୍ପତ୍ତି ନେଉଛୁ । ଯେଉଁମାନେ ଆଗ୍ରହୀ ସେମାନଙ୍କ ଆମ ସହ ଯୋଗାଯୋଗ କରୁଛନ୍ତି । ରାଜନୈତିକ ଦଳ ହିସାବରେ ଆମେ କାହାକୁ ନେବୁ ନନେବୁ ସେ ଦିଗରେ ନିଷ୍ପତ୍ତି ନେବୁ । ତାଙ୍କ ଗଡ଼ ଭିତରେ ଆମେ କାହିଁକି ପଶିବୁ । ଯିଏ ଆମ ବିଚାରଧାରାକୁ ପସନ୍ଦ କରିବ ସରକାରଙ୍କୁ ସମର୍ଥନ କରିବ ତାକୁ ଆମେ ଦଳରେ ସାମିଲ କରିବୁ ।''

ସେହିପରି କ୍ଷୁଦ୍ର ଚିଟ୍‌ପଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,'' ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି ସରକାର । ଲକ୍ଷାଧିକ ଚିଟଫଣ୍ଡ ଜମାକାରୀ ଟଙ୍କା ପାଇ ସାରିଲେଣି । ଏବେ ସରକାର ଆଉ  ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି । ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ । ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରି ପାଇବେ । ନିଜର ଆଧାର କାର୍ଡ଼ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେଇ ଆବେଦନ କଲେ ମିଳିବ ଚିଟଫଣ୍ଟ ଟଙ୍କା । ''